'ଓ୍ଵିଲ୍ ୟୁ ମ୍ୟାରି ମି'ର ବ୍ୟାନର ଧରି ଉଡୁଥିଲା ବିମାନ, ନିଆଁ ପିଣ୍ଡୁଳା ହୋଇ ତଳକୁ ଖସି ପଡିଲା

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ ୦୫।୧୦: ଲୋକେ ଭିନ୍ନ ଭିନ୍ନ ଶୈଳୀରେ ବିବାହର ପ୍ରସ୍ତାବ ଦେଇଥାନ୍ତି। ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ସର୍ବଦା କିଛି ଅଭିନବ ଏବଂ ନୂଆଁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏହି ସମୟକୁ ସେମାନେ ଜୀବନର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସମୟ କରିବାକୁ ବ୍ୟଗ୍ର ଥାଆନ୍ତି। ହେଲେ ଏମିତି କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ପ୍ରେମିକାକୁ ବିବାହର ପ୍ରସ୍ତାବ ଲେଖା ହୋଇଥିବା ଏକ ବ୍ୟାନର ଧରି ବିମାନ ଉଡୁଥିଲା। ହେଲେ ବିମାନଟି ଦୁର୍ଘଟଣାଗ୍ରସ୍ତ  ହୋଇଛି। ଏହି ବ୍ୟାନେରରେ 'ଓ୍ଵିଲ୍ ୟୁ ମ୍ୟାରି ମି' ଲେଖା ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣା କାନାଡାର ମାଣ୍ଟ୍ରିଏଲ ସହରରେ ଘଟିଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, କାନାଡା ପରିବହନ ସୁରକ୍ଷା ବୋର୍ଡ କହିଛି ଯେ, ଏହି ବିମାନ ଏକ ବ୍ୟାନର ଧରି ଉଡୁଥିଲା। ବିମାନ ମଝି ଆକାଶରେ ଥିବା ବେଳେ ଇଞ୍ଜିନ ଅଚଳ ହୋଇ ପଡିଥିଲା। ବିମାନଟି ତଳକୁ ଖସି ନିଆଁ ପିଣ୍ଡୁଳା ପାଲଟି ଯାଇଛି। ବିମାନରେ ଓ୍ଵିଲ୍ ୟୁ ମ୍ୟାରି ମି ବ୍ୟାନର ଲାଗିଥିଲା।

ଏହା କୌଣସି ବଡ ବିମାନ ନଥିଲା ମାତ୍ର ଆକାଶରୁ ଅଗ୍ନି ପିଣ୍ଡୁଳା ହୋଇ ତଳକୁ ଖସିଥିଲା। ବିମାନ ଖସିବା ମାତ୍ରେ ଉକ୍ତ ଅଞ୍ଚଳ ଅଭିମୁଖେ ଲୋକଙ୍କ ସୂଅ ଛୁଟିଥିଲା। ଏହି ଦୁର୍ଘଟଣାରେ  ଜଣଙ୍କର ମୃତ୍ୟୁ  ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଇଲଟ୍ ଜଣକ ଏକ ବିଜ୍ଞାପନ ଏଜେନ୍ସିର ମାଲିକ ହୋଇଥିବା ଜଣା ପଡିଛି। ଦୁର୍ଘଟଣାର କାରଣ ଜଣା ପଡିନାହିଁ। ଏହାର ଯାଞ୍ଚ ପାଇଁ ତଦନ୍ତକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.