ପିକେ ବାନାର୍ଜୀ ମୋ କ୍ୟାରିୟର ଉପରେ ବହୁତ ପ୍ରଭାବ ପକାଇଥିଲେ: ସୌରଭ ଗାଙ୍ଗୁଲି
20/03/2020 at 10:11 PM

ନୂଆଦିଲ୍ଲୀ ୨୦।୦୩: ଭାରତ ମହାନ ଫୁଟବଲ୍ ଖେଳାଳି ପିକେ ବାନାର୍ଜୀଙ୍କ ରବିବାର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୋକ ପ୍ରକଟ କରିଛନ୍ତି। ସେ ପିକେ ବାନାର୍ଜୀଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।
ଗାଙ୍ଗୁଲି ରବିବାର ଟୁଇଟ୍ କରି ପିକେ ବାନାର୍ଜୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ଭଲ ପାଇବା ଓ ସମ୍ମାନ ଥିଲା ବୋଲି କହିଛନ୍ତି। ଯେତେବେଳେ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା, ସେ ପିକେ ବାନାର୍ଜୀଙ୍କ ପ୍ରତି ବହୁତ ପ୍ରଭାବିତ ହୋଇଥିଲେ। ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଆଜି ଜଣେ ଭଲ ମଣିଷକୁ ହରାଇଲି, ଯାହାଙ୍କୁ ମୁଁ ବହୁତ ଭଲ ପାଇବା ସହ ସମ୍ମାନ ଦେଉଥିଲି। ସେ ମୋର କ୍ୟାରିୟରକୁ ବହୁତ ପ୍ରଭାବିତ କରିଥିଲେ ଯେତେ ବେଳେ ମୋର ବୟସ ୧୮ ହୋଇଥିଲା। ତାଙ୍କର ସକରାତ୍ମକ ଗୁଣ ମୋତେ ବହୁତ ଉତ୍ସାହିତ କରିଥିଲା। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ। ଚଳିତ ସପ୍ତାହରେ ମୁଁ ଦୁଇ ଜଣ ପ୍ରିୟର ମଣିଷଙ୍କୁ ହରାଇଲି ବୋଲି ଗାଙ୍ଗୁଲି ଟୁଇଟରେ ଉଲ୍ଲେଖ କରିଛନ୍ତି।
ପରିବାର ସଦସ୍ୟଙ୍କ ଅନୁଯାୟୀ ପିକେ ବାନାର୍ଜୀ ଆଜି ମଧ୍ୟାହ୍ନ ୧୨ଟା ୪୦ ମିନିଟରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ୧୯୬୨ରେ ଏସୀୟ କ୍ରୀଡାର ସ୍ଵର୍ଣ୍ଣ ପଦକ ବିଜେତା ଷ୍ଟ୍ରାଇକର ପିକେ(ପ୍ରଦୀପ କୁମାର) ବାନାର୍ଜୀ ନିମୋନିଆ କାରଣରୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲେ।
ପିକେ ବାନାର୍ଜୀ ରାଷ୍ଟ୍ରୀୟ ଦଳ ପାଇଁ ୮୪ଟି ମ୍ୟାଚ୍ରେ ୬୫ଟି ଅନ୍ତରାଷ୍ଟ୍ରୀୟ ଗୋଲ୍ ଦେଇଥିଲେ। ୧୯୯୨ରେ ଜାକାର୍ତ୍ତା ଏସୀୟ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିବା ବ୍ୟତୀତ ବାନାର୍ଜୀ ୧୯୬୦ ରୋମ୍ ଅଲିମ୍ପିକରେ ଭାରତର ନେତୃତ୍ଵ ନେଇଥିଲେ। ସେ ଫ୍ରେଞ୍ଚ ଟିମ୍ ବିରୋଧରେ ଗୋଲ୍ ସ୍କୋର କରି ମ୍ୟାଚ୍କୁ ୧-୧ରେ ଡ୍ର କରାଇଥିଲେ।