ମହିଳାଙ୍କ ପୋଷାକ ପିନ୍ଧି କନ୍ୟା ଭଳି ସଜେଇ ହୋଇ ଗଛରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ
23/12/2020 at 12:13 PM

ଧର୍ମଶାଳା ୨୩/୧୨ : ହିମାଚଳ ପ୍ରଦେଶରୁ ଆତ୍ମହତ୍ୟାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କ ପୋଷାକ ପିନ୍ଧି, କନ୍ୟା ଭଳି ସଜେଇ ହୋଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ମାମଲା ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲା ଧର୍ମଶାଳାର। ଧର୍ମଶାଳା ନିକଟସ୍ଥ ଦାଡିରେ ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ କନକ ପିଜ୍ଜା ଡେଲିଭରୀ କାମ କରୁଥିଲେ। ସେ ନିଜ ପରିବାର ସହ ଦାଡିରେ ରହୁଥିଲେ। ଘଟଣା ଶନିବାର ରାତିରେ ଘଟିଥିଲା। ଘରଲୋକ ରବିବାର ଦିନ ଶବ ଦେଖିଥିଲେ।
ସୂଚନା ଅନୁଯାୟୀ, ମନୋଜ କୁମାରଙ୍କ ପରିବାର ମୂଳତଃ ବିହାର ଏବଂ ଗତ କିଛି ବର୍ଷ ହେଲା ଦାଡିରେ ରହୁଛନ୍ତି। ମନୋଜ ଧର୍ମଶାଳା ଅଞ୍ଚଳରେ ପିଜ୍ଜା ଡେଲିଭରୀ କାମ କରୁଥିଲେ। ଶନିବାର ରାତିରେ ସେ ଘରେ ଥିଲେ। କିନ୍ତୁ ରବିବାର ସକାଳୁ ଘରଲୋକ ଦେଖିଲାବେଳେ ସେ ଘରେ ନଥିଲେ। ଘରଲୋକ ତାଙ୍କୁ ଖୋଜାଖୋଜି କରିବାରୁ ଯୁବକଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଆତ୍ମହତ୍ୟା କରିବା ପୂର୍ବରୁ ସେ ମହିଳାଙ୍କ ପୋଷାକ ପିନ୍ଧି କନ୍ୟା ଭଳି ସଜେଇ ହୋଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଏବଂ ମାମଲା ରୁଜ୍ଜୁ କରିଛି। ଥାନା ପ୍ରଭାରୀ ରାଜେଶ କୁମାର କହିଛନ୍ତି ଯେ ପ୍ରାଥମିକ ତଦନ୍ତରେ ଏହା ଆତ୍ମହତ୍ୟା ମାମଲା ହିଁ ଜଣାପଡୁଛି। କିନ୍ତୁ ସବୁ ତଥ୍ୟ ଯାଞ୍ଚ ପାଇଁ ଫରେନସିକ ଟିମ ଘଟଣାସ୍ଥଳର ଯାଞ୍ଚ କରିଛନ୍ତି। ଯାଞ୍ଚ ପରେ ଆତ୍ମହତ୍ୟା କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।