COVID-19ର ମୁକାବିଲା ପାଇଁ ପିଏମ୍ କେୟାର ପାଣ୍ଠିକୁ ୧୫୧ କୋଟି ଟଙ୍କା ଦେବେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ରେଳ କର୍ମଚାରୀ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୩: କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପିଏମ୍ କେୟାର ପାଣ୍ଠିରେ ସ୍ବେଚ୍ଛାକୃତ ଭାବେ ଦାନ କରିବାକୁ ଆହ୍ବାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ବାନ ପରେ ଦେଶର ବିଭିନ୍ନ ଶ୍ରେଣୀର ଲୋକ ସେମାନଙ୍କର କ୍ଷମତା ଅନୁସାରେ ଏହି ପାଣ୍ଠିକୁ ଦାନ କରୁଛନ୍ତି । ଏବେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ରେଳ ରାଜ୍ୟମନ୍ତ୍ରୀ ମଧ୍ୟ ଏହି ପାଣ୍ଠିରେ ଏକ ମାସର ଦରମା ଦେବାପାଇଁ ଘୋଷଣା କରିଛନ୍ତି । ପୀୟୁଷ ଗୋୟଲ ତାଙ୍କ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।

ପୀୟୁଷ ଗୋୟଲ ଦେଇଥିବା ଏହି ସୂଚନା ଅନୁଯାୟୀ ରେଳ ମନ୍ତ୍ରୀ, ରେଳ ରାଜ୍ୟ ମନ୍ତ୍ରୀଙ୍କ ବ୍ୟତୀତ ୧୩ ଲକ୍ଷ ରେଳ କର୍ମଚାରୀ ଏବଂ ପବ୍ଲିକ୍ ସେକ୍ଟର ୟୁନିଟର କର୍ମଚାରୀମାନେ ମଧ୍ୟ ଗୋଟିଏ ଦିନର ଦରମା ପିଏମ୍ କେୟାର ପାଣ୍ଠିକୁ ଦାନ କରିବେ । ମୋଟ୍ ୧୫୧ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରେ ଜମାହେବ |
ସେ ତାଙ୍କ ଟ୍ବିଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ବାନରେ ମୁଁ ଏବଂ ମୋର ସହକର୍ମୀ ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡି ଏକ ମାସର ଏବଂ ୧୩ ଲକ୍ଷ ରେଳବାଇ ଏବଂ ପିଏସୟୁ ସାଥୀମାନେ ଗୋଟିଏ ଦିନର ଦରମା ସହ ପିଏମ୍ କେୟାରରେ ୧୫୧ କୋଟି ଟଙ୍କା ସହାୟତା ଦେବେ ।”

ସୂଚନାଯୋଗ୍ୟ ଯେ, ରବିବାର ଦିନ କର୍ମଚାରୀ ପେନସନ ସ୍କିମ୍ (ଇପିଏସ୍) ଅଧୀନରେ ଆସୁଥିବା ପେନ୍‌ସନ୍‌ଭୋଗୀଙ୍କ ଏକ ଫୋରମ୍‌ କରୋନା ମହାମାରୀର ମୁକାବିଲା କରିବାରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସେମାନଙ୍କର ଗୋଟିଏ ଦିନ ପେନସନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଇପିଏସ୍-୯୫ ଅଧୀନରେ ଥିବା ପେନସନଭୋଗୀଙ୍କ ସଂଖ୍ୟା ପ୍ରାୟ ୬୫ ଲକ୍ଷ |

ଅଖିଳ ଭାରତୀୟ ଇପିଏସ୍-୯୫ ପେନ୍‌ସନ୍‌ଭୋଗୀ ରାଷ୍ଟ୍ରୀୟ ସଂଘର୍ଷ ସମିତିର ଅଧ୍ୟକ୍ଷ କମାଣ୍ଡର ଅଶୋକ ରାଉତ ରବିବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେ କରୋନା ମହାମାରୀ ସହ ମୁକାବିଲା କରିବାରେ ସରକାରଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛୁ । ଏହା ଅଧୀନରେ ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆମର ଗୋଟିଏ ଦିନର ପେନସନ୍ ଦେବୁ | ଚିଠିର ଏକ ନକଲ ଅର୍ଥମନ୍ତ୍ରୀ, ଶ୍ରମ ମନ୍ତ୍ରୀ, କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ସଦସ୍ୟ ଏବଂ କେନ୍ଦ୍ରୀୟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନରଙ୍କ ନିକଟକୁ ମଧ୍ୟ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.