ମୃତ୍ୟୁ ପରେ ବି ଅମର ପୀୟୁଷ, ଅଙ୍ଗଦାନ କରି ବଞ୍ଚାଇଲେ ୮ ଜୀବନ

Published By : Prameya-News7 Bureau | October 30, 2020 IST

ସୁରଟ ୩୦/୧୦: ଅଙ୍ଗଦାନ ମହତକର୍ମ। ଏଭଳି ଅଙ୍ଗଦାନ କରି ମରିବା ପ​‌ରେ ବି ଅମର ହୋଇଯାଉଛନ୍ତି ଲୋକେ। ସେମାନେ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଯାଉଛନ୍ତି। ଏଭଳି ଏକ ମାମଲା ଗୁଜୁରାଟରେ ପ୍ରଥମ ଥର ହୋଇଛି। ଗୁଜୁରାଟ ସୁରଟର ରାମବାଟିକା ବାସିନ୍ଦା ପୀୟୁଷ ନାରାୟଣ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଡାକ୍ତର ତାଙ୍କର ବ୍ରେନ୍‌ ଡେଡ୍‌ ନେଇ ଘୋଷଣା କରିବା ପରେ ତାଙ୍କ ପରିବାର ତାଙ୍କର ଫୁସ୍‌ଫୁସ୍‌, ଯକୃତ, ଆଖି, ବୃକକ, ପାନକ୍ରିୟାଜ୍‌ ଦାନ କରିଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନର ୮ ଜଣଙ୍କ ଜୀବନ ବଞ୍ଚିଯାଇଛି।

ପୀୟୁଷ ରାମକୃଷ୍ଣ ଏକ୍ସପୋର୍ଟରେ ରତ୍ନ କାରିଗର ଭାବେ କାମ କରୁଥିଲେ। ଚାରଭୁଜା ସ୍ଥିତ ଶ୍ବଶୁର ଘରକୁ ନିଜ ପତ୍ନୀଙ୍କୁ ଦେଖାକରିବାକୁ ଯାଇଥିଲେ ପୀୟୁଷ। ଫେରିବା ବେଳେ ରାତି ପ୍ରାୟ ୧୦ଟା ବେଳେ ସାୟଣ ରୋଡ ଚେକ୍‌ ପୋଷ୍ଟ ଠାରେ ବାଇକ୍‌ ସ୍ଲିପ୍‌ କରିବାରୁ ସେ ତଳେ ପଡ଼ିଯାଇଥିଲେ। ତଳେ ପଡ଼ିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ଚିକତ୍ସା ଜଣେ ବରିଷ୍ଠ ନ୍ୟୁରୋଲୋଜିଷ୍ଟ କରିଥିଲେ। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ବେଳେ ଚିକିତ୍ସା କରିଥିଲେ ବରିଷ୍ଠ ଡାକ୍ତର। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ପୀୟୁଷଙ୍କ ବ୍ରେନ୍‌ ଡେଡ୍‌ ନେଇ କହିଥିଲେ।

ବ୍ରେନ୍‌ ଡେଡ୍‌ ହୋଇଯିବା ପରେ ପୀୟୁଷଙ୍କ ବାପାଙ୍କୁ ଅଙ୍ଗଦାନ ସମ୍ପର୍କରେ ବୁଝାଇଥିଲେ। ପରେ ପୀୟୁଷଙ୍କ  ଫୁସ୍‌ଫୁସ୍‌, ଯକୃତ, ଆଖି, ବୃକକ ଦାନ କରିବାକୁ ରାଜି ହୋଇଥିଲେ ତାଙ୍କ ବାପା। ଅହମଦାବାଦ  ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ଶରୀରରେ ହୃଦୟ ଲାଗିଥିବା ବେଳେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯାଇଥିଲା। ଦୁଇଟି କିଡନୀ, ଲିଭର ଓ ପାନକ୍ରିୟାଜ୍‌ ଅହମଦାବାଦର ୪ ଅଲଗା ଲୋକଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.