ଆସନ୍ତାକାଲି ଠାରୁ ପିତୃପକ୍ଷ : ଜାଣନ୍ତୁ ଏହାର ମହତ୍ୱ ଏବଂ ଗୁଢ ତତ୍ୱ

Published By : Prameya-News7 Bureau | September 24, 2018 IST

ଭୁବନେଶ୍ୱର ୨୪/୯ : ଓଡିଶା ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପିତୃପକ୍ଷ | ତେବେ ଉତ୍ତର ଭାରତରେ ଆଜିଠାରୁ ଆରମ୍ଭ ହେଉଛି ପିତୃପକ୍ଷ | ପରମ୍ପରା ଅନୁସାରେ ପିତୃପକ୍ଷରେ ଦିବଂଗତ ପିତୃପୁରୁଷ ଏବଂ ଭଗବାନଙ୍କୁ ପ୍ରାର୍ଥନା କରାଯାଇଥାଏ | ପିତୃପୁରୁଷଙ୍କୁ ଏହି ୧୬ ଦିନ ପିଣ୍ଡ ପ୍ରଦାନ କରିବାର ବିଧି ରହିଛି | ଭାଦ୍ରବ ପୂର୍ଣ୍ଣମୀ ଠାରୁ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ଏହି ୧୬ ଦିନକୁ ପିତୃପକ୍ଷ, ମହାଳୟା ପକ୍ଷ ବା ଅପରପକ୍ଷ ବୋଲି କୁହାଯାଏ | ଅକ୍ଟୋବର ୮ ତାରିଖରେ ପିତୃପକ୍ଷ ସରିବ ଏବଂ ଆରମ୍ଭ ହେବ ଦେବୀପକ୍ଷ | ଧର୍ମଶାସ୍ତ୍ର ଅନୁସାରେ ମନୁଷ୍ୟର ମୃତ୍ୟୁ ପୂର୍ଣ୍ଣମୀରୁ ଅମାବାସ୍ୟା ପର୍ଯ୍ୟନ୍ତ ଥିବା ଯେକୌଣସି ତିଥିରେ ହିଁ ହୋଇଥାଏ | ଏହା ବ୍ୟତୀତ ଅନ୍ୟ କୌଣସି ତିଥିରେ ହୋଇନଥାଏ | ତେଣୁ ଏହି ପକ୍ଷକୁ ୧୬ ଦିନ ବୋଲି ଗ୍ରହଣ କରାଯାଇଥାଏ | ଏହି ପକ୍ଷରେ ସୂର୍ଯ୍ୟ କନ୍ୟା ରାଶିରେ ଅବସ୍ଥାନ କରୁଥିବାରୁ ଏହି ପକ୍ଷକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ | ଏହି ସହିତ ବର୍ଷା ଦିନ ସମାପ୍ତ ହୋଇ ଆକାଶ ନିର୍ମଳ ଥାଏ | ତେଣୁ ପିତୃପୁରୁଷଙ୍କୁ ମାନେ ପକାଇବା ଓ ସେମାନଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ପାଇଁ ଏହା ଉତ୍ତମ ସମୟ ବୋଲି ମଧ୍ୟ ଧର୍ମ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି | ଏହି ସମୟ ଶ୍ରାଦ୍ଧ ପାଇଁ ଅନୁକୂଳ | ଶ୍ରଦ୍ଧା ଶବଦରୁ ଶ୍ରାଦ୍ଧ ଶବଦର ଉତ୍ପତ୍ତି | କୁଳଦେବତା , ପିତୃପୁରୁଷ ବା ପୂର୍ବଜଙ୍କୁ ଶ୍ରଦ୍ଧା ଅର୍ପଣ କରିବା ହିଁ ଶ୍ରାଦ୍ଧ | ଯେଉଁ ପରିଜନମାନେ ବା ପରିବାରର ସଦସ୍ୟମାନେ ଦିବଂଗତ ହୋଇଛନ୍ତି, ସଶରୀର ପରିବାର ସହିତ ନାହାନ୍ତି, ସେମାନେ ଏହି ପକ୍ଷରେ ସୁକ୍ଷ୍ମ ରୂପରେ ଧରାପୃଷ୍ଠରେ ରହିଥାନ୍ତି ବୋଲି ବିଶ୍ୱାସ ରହିଛି | ଫଳରେ ସେମାନଙ୍କ ଗୋତ୍ର ଓ ନାମରେ କରାଯାଇଥିବା ତର୍ପଣକୁ ସେମାନେ ଗ୍ରହଣ କରିଥାନ୍ତି | ସେହିଭଳି ବିଶ୍ୱାସ ରହିଛି ଯେ, କୁଆମାନେ ଯମରାଜଙ୍କ ଦୂତ ଏବଂ ଗାଈ ଭଗବାନଙ୍କ ପ୍ରତୀକ | ସେଥିପାଇଁ ଶ୍ରାଦ୍ଧ ଅବସରରେ ବ୍ରାହ୍ମଣଙ୍କୁ ଭୋଜନ ଦେବା ପୂର୍ବରୁ କୁଆ ଏବଂ ଗାଈକୁ ଗ୍ରାସ ବା ଭୋଜନ ପ୍ରଦାନ କରାଯାଇଥାଏ | ପରିବାର ବୃଦ୍ଧ, ବୃଦ୍ଧା,ପୁରୁଷ, ମହିଳା, ଶିଶୁ, ବୟସ୍କ ଯେକେହି ଇହଧାମ ତ୍ୟାଗ କରିଛନ୍ତି ସେ ସମସ୍ତଙ୍କୁ ପିତୃ ବୋଲି କୁହାଯାଏ | ବିଶ୍ୱାସ ରହିଛି ଯେ, ଯଦି ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ତାହେଲେ ଘରେ ସୁଖ ସମୃଦ୍ଧି ବିରାଜମାନ କରେ | ପିତୃ ପୁରୁଷଙ୍କ କୃପା ଦୃଷ୍ଟି ନରହିଲେ ଘରେ ଅମଙ୍ଗଳ ଘଟେ | ସମସ୍ତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୁଏ | ଆମ ସଂସ୍କୃତିରେ ପିତୃପୁରୁଷଙ୍କୁ ଦେବତାଙ୍କ ମାନ୍ୟତା ପ୍ରଦାନ କରାଯାଇଛି | ଶ୍ରାଦ୍ଧ ସାଧାରଣତଃ ଦ୍ବିପ୍ରହରରେ କରିବାର ବିଧି ରହିଛି | ସକାଳେ ବା ସନ୍ଧ୍ୟାରେ ଶ୍ରାଦ୍ଧ କର୍ମ ନିଷେଧ କରାଯାଇଛି | ଶ୍ରାଦ୍ଧ କରୁଥିବା ବ୍ୟକ୍ତି ଶ୍ୱେତ ଅର୍ଥାତ ଧଳା ବା ହଳଦିଆ ବସ୍ତ୍ର ପରିଧାନ କରି ଶ୍ରାଦ୍ଧ କରିବା ବିଧେୟ | ବାୟୁ ପୁରାଣ ଅନୁସାରେ ଶ୍ରାଦ୍ଧ କର୍ମ ଆରମ୍ଭରେ କର୍ତ୍ତା ବ୍ରହ୍ମାଙ୍କ ଦ୍ୱାରା ରଚିତ ଏକ ମନ୍ତ୍ର ପାଠ କଲେ ସର୍ବ ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି | ମନ୍ତ୍ରଟି ହେଉଛି - ଦେବତାଃଭ୍ୟ ପିତୃଭ୍ୟଶ୍ଚ ମହାୟୋଗୀଶ୍ଚ ଏବଚ ନମଃ ସ୍ୱେଧ୍ୟାୟେ ସ୍ବାହାୟେ ନିତ୍ୟମେବ ଭବନ୍ୟୂତ | ଶାସ୍ତ୍ର ଅନୁସାରେ ଆମ ଶରୀର ୨୭ଟି ତତ୍ୱରେ ଗଠିତ ହୋଇଥାଏ | ମୃତ୍ୟୁ ପରେ ମୂଳ ପଞ୍ଚଭୂତ ଓ ପାଞ୍ଚ କର୍ମେନ୍ଦ୍ରିୟ ନଷ୍ଟ ହୋଇଥାଏ | କିନ୍ତୁ ଆହୁରି ୧୭ଟି ତତ୍ୱ ସୁକ୍ଷ୍ମ ରୂପରେ ବିରାଜମାନ କରୁଥାଏ ବିନା ଶରୀରରେ | ବିଶ୍ୱାସ ରହିଛି ଯେ, ମୃତ୍ୟୁର ବର୍ଷକ ପର୍ଯ୍ୟନ୍ତ ଏହି ସୁକ୍ଷ୍ମ ତତ୍ୱ ଗୁଡିକ ନୂଆ ଶରୀର ପ୍ରାପ୍ତ ହୋଇନଥାଏ | ଫଳରେ ଏହି ଅମୋକ୍ଷ ସୁକ୍ଷ୍ମ ଜୀବ ନିଜ ପରିବାର ଏବଂ ଘରର ଆଖପାଖରେ ହିଁ ଘୁରି ବୁଲୁଥାଏ | ଶ୍ରାଦ୍ଧ କର୍ମ ଦ୍ୱାରା ଏହି ସୁକ୍ଷ୍ମ ତତ୍ୱକୁ ଶାନ୍ତି ପ୍ରାପ୍ତ ହୋଇଥାଏ | ସେଥିପାଇଁ ଶ୍ରାଦ୍ଧ କର୍ମ କରଣୀୟ | ଶ୍ରାଦ୍ଧ ପରେ ବ୍ରାହ୍ମଣଙ୍କୁ ଯେଉଁ ଭୋଜନ ପ୍ରଦାନ କରାଯାଇଥାଏ ତା'ର ସୁକ୍ଷ୍ମ ସ୍ୱରୂପ ଏହି ସୁକ୍ଷ୍ମ ତତ୍ୱକୁ ପ୍ରାପ୍ତି ହୋଇଥାଏ | ରାମାୟଣ ଓ ମହାଭାରତ ଯୁଗରେ ମଧ୍ୟ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡ ପ୍ରଦାନର ପରମ୍ପରା ରହିଛି | ଏହି ପୁରାଣରେ ଶ୍ରାଦ୍ଧ ସମ୍ପର୍କିତ ବହୁ କଥା କୁହାଯାଇଛି | ମହାଭାରତର ଅନୁଶାସକ ପର୍ବରେ ଯୁଧିଷ୍ଠିରଙ୍କୁ ପିତାମହ ଭୀଷ୍ମ ଶ୍ରାଦ୍ଧର ମହତ୍ୱ ଓ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିବା ପ୍ରସଙ୍ଗ ରହିଛି | ସୂଚନା ଅନୁସାରେ ସର୍ବ ପ୍ରଥମେ ଶ୍ରାଦ୍ଧ ସମ୍ପର୍କରେ ରୁଷି ମିନିଙ୍କୁମହା ତପସ୍ୱୀ ଅତ୍ରି ଜ୍ଞାନ ପ୍ରଦାନ କରିଥିଲେ | ତେଣୁ ପ୍ରଥମେ ମହର୍ଷି ନିମି ଶ୍ରାଦ୍ଧ କର୍ମ ଆରମ୍ଭ କରିଥିଲେ | ଏହାକୁ ପରବର୍ତ୍ତୀ ସମୟରେ ଅନ୍ୟ ରୁଷିମାନେ ପାଳନ କରିଥିଲେ | ରାମାୟଣର କଥାବସ୍ତୁ ଅନୁସାରେ ପିତା ଦଶରଥଙ୍କ ମୃତ୍ୟୁ ପରେ ବନବାସରେ ବାହାରିଥିବା ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରାଦ୍ଧ ଓ ପିଣ୍ଡ ପ୍ରଦାନ ପାଇଁ ଗୟାରେ ପହଂଚିଥିଲେ | ସାଙ୍ଗରେ ପତ୍ନୀ ମଧ୍ୟ ଥିଲେ | ତେବେ ଶ୍ରାଦ୍ଧ ପାଇଁ ସାମଗ୍ରୀ ନଥିବାରୁ ନଦୀ କୁଳରେ ସୀତାଙ୍କୁ ଛାଡ଼ିଦେଇ ରାମଚନ୍ଦ୍ର ସାମଗ୍ରୀ ସଂଗ୍ରହ କରିବାକୁ ବାହାରି ଯାଇଥିଲେ | ଏଣେ ସମୟ ବିତିଯାଇଥିଲା | ସନ୍ଧ୍ୟା ସମୟ ପାଖେଇ ଆସୁଥିଲା | ଦଶରଥ ପ୍ରକଟ ହୋଇ ସୀତାଙ୍କୁ ସନ୍ଧ୍ୟା ଆସନ୍ନର ସୂଚନା ଦେବା ସହ ପିଣ୍ଡ ପ୍ରଦାନ ପାଇଁ କହିଥିଲେ | କିନ୍ତୁ ପାଖରେ କିଛି ସାମଗ୍ରୀ ନାହିଁ ବୋଲି ସୀତା ଅସହାୟତା ପ୍ରକାଶ କରିଥିଲେ | ଫଳରେ ବାଲିରେ ପିଣ୍ଡ ତିଆରି କରି ପ୍ରଦାନ କରିବା ପାଇଁ ସୀତାଙ୍କୁ ଦଶରଥ ପ୍ରବର୍ତ୍ତାଇଥିଲେ | ସୀତା ସେୟା ହିଁ କରିଥିଲେ | ତେବେ ଫଲଗୁ ନଦୀ, ଅକ୍ଷୟବଟ, ପିଣ୍ଡ, ବ୍ରାହ୍ମଣ ଏବଂ ଗାଈକୁ ସାକ୍ଷୀ ରଖି ଶ୍ରାଦ୍ଧ କର୍ମ ସାରିଥିଲେ | ରାମଚନ୍ଦ୍ର ସାମଗ୍ରୀ ନେଇ ଫେରିବା ପରେ ଶ୍ରାଦ୍ଧ କର୍ମ ସାରିଦେଇଛି ବୋଲି ସୀତା କହିଥିଲେ | ଏଥିପାଇଁ ସାଖ୍ୟ ଦେବା ଲାଗି ସେ ସାକ୍ଷୀ ରଖିଥିବା ସମସ୍ତଙ୍କୁ କହିଥିଲେ | କିନ୍ତୁ ରାମଚନ୍ଦ୍ରଙ୍କ ହାତରୁ ଶ୍ରାଦ୍ଧ ଗ୍ରହଣ ଲାଗି ଲୋଭର ବଶବର୍ତ୍ତୀ ହୋଇ କେବଳ ଅକ୍ଷୟବଟକୁ ଛାଡି ଅନ୍ୟ ସମସ୍ତେ ମିଛରେ କହିଥିଲେ ଯେ, ଶ୍ରାଦ୍ଧ ହୋଇନାହିଁ | ଏଥିରେ କ୍ଷୁବ୍ଧ ହୋଇ ସୀତା ମିଥ୍ୟା କହିଥିବା ସାକ୍ଷୀମାନଙ୍କୁ ଅଭିଶାପ ଦେଇଥିଲେ | ଫଲଗୁ ନଦୀ ଭୂମୀ ତଳକୁ ଚାଲିଯିବ ବୋଲି ସୀତା ଅଭିଶାପ ଦେଇଥିବା ବେଳେ କଳିଯୁଗରେ ବ୍ରାହ୍ମଣ ଏବଂ ଗୋ ମାତାଙ୍କ ଅନାଦର ହେବ ବୋଲି ଶାପ ପ୍ରଦାନ କରିଥିଲେ | ଅକ୍ଷୟବଟ ସତ କହିଥିବାରୁ ସେ ସଦା ସର୍ବଦା ସବୁଜ ପତ୍ର ଗହଳ ହୋଇ ରହିବ ବୋଲି ସୀତା ଆଶୀର୍ବାଦ କରିଥିଲେ | ଆଜି ମଧ୍ୟ ବିହାରର ଗୟା ଠାରେ ଅକ୍ଷୟବଟ ରହିଛି | ମନୋବାଞ୍ଛା ପୁର୍ଣ ପାଇଁ ଏଠାରେ ପୂଜାଦି କର୍ମ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.