ଲକଡାଉନ୍‌ରେ ହେବ ପିପିଲି ଭୋଟ୍ : କୋଭିଡ୍ ଗାଇଡଲାଇନ୍ସ ମାନିବେ, ନିର୍ବାଚନ ପ୍ରକ୍ରିୟାର କାର୍ଯ୍ୟବିଦ୍ଧି ଉପରେ ରହିବନି ଲକଡାଉନ୍ କଟକଣା

Published By : Prameya-News7 Bureau | May 02, 2021 IST

ପିପିଲି, ୦୨|୦୫: ସାରା ରାଜ୍ୟରେ ମେ ୫ରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ । ଏହି ସମୟରେ ସମସ୍ତ ସାଧାରଣ ଗତିବିଧି ବନ୍ଦ ରହିବ । କେବଳ ଜରୁରୀକାଳିନ ତଥା ଅତ୍ୟାବଶ୍ୟକ ସେବାକୁ ରୋକ୍ ଲାଗିବ ନାହିଁ ।କୋଭିଡ୍ ନିୟମରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଅନୁମତି ରହିଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଭଳି କାର୍ଯ୍ୟ ନେଇ ସନ୍ଦେହ ରହିଥିବା ବେଳେ ପିପିଲି ଉପ ନିର୍ବାଚନ ଅଟକିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଅଙ୍କୁଶ ରହିଥିବା ବେଳେ କୋଭିଡ୍ ଗାଇଡଲାଇନ୍ ଭିତରେ ପିପିଲି ଭୋଟ୍‌କୁ ଅନୁମତି ମିଳିଛି ।

 ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ,  ନିର୍ବାଚନ ପ୍ରକ୍ରିୟାକୁ ଲକଡାଉନରୁ ବାଦ୍ ଦିଆଯାଇଛି । ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଭୋଟଦାନ ହେବ । ନୂଆ କଟକଣା ନିର୍ବାଚନ ଥିବା ଅଞ୍ଚଳରେ ଲାଗୁ ହେବ ନାହିଁ । ଏହି ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, ପୋଲିଂ ଏଜେଣ୍ଟ, ଦଳୀୟ ପ୍ରାର୍ଥୀଙ୍କ ଗତିବିଧି ଉପରେ ରୋକ୍ ଲାଗିବ ନାହିଁ । ଭୋଟ୍ ଦାନ ବେଳେ ଭୋଟର୍ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ବୁଥକୁ ଆସି ଭୋଟ୍ ଦେଇପାରିବେ ।

ସୂଚନାଯୋଗ୍ୟ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

କିନ୍ତୁ ମେ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୬ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଏହା ସହିତ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.