ଏଥର ମଧ୍ୟ ରଥଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍ ଫି ଆଦାୟ ହେବ ନାହିଁ ଘୋଷଣା ଫସର ଫାଟିଲା, ହଇରାଣ ହେଲେ ଶ୍ରଦ୍ଧାଳୁ
4/07/2019 at 6:18 PM

ପିପିଲି/ଡେଲାଙ୍ଗ୪|୭: ଏଥର ମଧ୍ୟ ରଥଯାତ୍ରା ଦିନ ପିପିଲି ଟୋଲ୍ ଗେଟ୍ ଫି ଆଦାୟ ହେବ ନାହିଁ ଘୋଷଣା ଫସର ଫାଟିଲା। ପୁରୀକୁ ଶହଶହ ଗାଡ଼ି ଚଳାଚଳ କରିଥିବା ବେଳେ ଟୋଲ୍ ଗେଟ୍ ଟଙ୍କା ଗଣିଚାଲିଥିଲା କିନ୍ତୁ ପୂର୍ବ ଘୋଷଣା କାର୍ଯ୍ୟକାରୀ ହୋଇନଥିଲା। ପୂର୍ବରୁ ଫୋନି ବେଳେ ମଧ୍ୟ ଅନୁରୂପ ଘୋଷଣାକୁ ଟୋଲ୍ ଗେଟ୍ ବାଏଁବାଏଁ ଉଡ଼ାଇ ଦେଇଥିଲା।

କାହିଁକି ଟୋଲ୍ଗେଟର ମନମାନି ପାଖରେ ଅସହାୟ ହୋଇଯାଉଛନ୍ତି ରାଜ୍ୟ ସରକାର। ରଥଯାତ୍ରା ଦିନ ପିପିଲି ଟୋଲ୍ ଗେଟରେ ଦେୟ ଆଦାୟ ହେବ ନାହିଁ ବୋଲି ଘୋଷଣା ସିନା ହୋଇଥିଲା କିନ୍ତୁ ଟୋଲ୍ଗେଟ୍ ବାଏଁ ବାଏଁ ଉଡ଼ାଇଦେଲା ଏହି ପୂର୍ବ ଘୋଷଣା। ଶହ ଶହ ଗାଡ଼ି ଧାଡ଼ି ଲଗାଇଥିଲେ, ଡେରି ହେଲେ ବି ସେଥିପ୍ରତି କାହାର ଦୟା ନଥିଲା। ଓଲଟା ଚାଲିଥିଲା ଜୁଲମ। ସେଥିପ୍ରତି ପରୱାଏ ନଥିଲା। କଡ଼ାଗଣ୍ଡା କରି ଚାଲିଥିଲା ଟଙ୍କା ଆଦାୟ।

ଅନେକ ଯୁକ୍ତି କରିଥିଲେ ମଧ୍ୟ ଟୋଲ ଗେଟ କର୍ମଚାରୀ ନଛୋଡବନ୍ଦା l ଏଥିପାଇଁ ସେମାନଙ୍କ ମଧ୍ୟ ରେ ଯୁକ୍ତିତର୍କ ଲାଗୁଛି l ସୁଦୂର କନ୍ଧମାଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ କହିବା କଥା ସରକାର ଟୋଲ ଶୁଳ୍କ ଛାଡ ଘୋଷଣା କରିଥିବା ବେଳେ ଏମାନେ ବେଆଇନ ଭାବେ ଶୁଳ୍କ ଆଦାୟ କରି ବେପାର କରୁଛନ୍ତି l

ସେପଟେ ଟୋଲ କର୍ମଚାରୀଙ୍କ କହିବା କଥା ଫି ଆଦାୟ ଛାଡ଼ ପାଇଁ ସେମାନଙ୍କ ପାଖକୁ କିଛି ଚିଠି ଆସିନାହିଁ। ଟୋଲ ଗେଟ୍ କ୍ରିୟାନୁଷ୍ଠାନ କମିଟି ସଭାପତି ନିଶିକାନ୍ତ ମିଶ୍ରଙ୍କ କହିବା କଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଭକ୍ତଙ୍କୁ ଭକୁଆ ବନାଉଛନ୍ତି।

ପୂର୍ବରୁ ଫୋନି ବେଳେ ଟୋଲ ଆଦାୟ ନକରିବା ଲାଗି ରାଜ୍ୟ ସରକାରଙ୍କ ଅନୁରୋଧ ମଧ୍ୟ ଟୋଲ୍ ଗେଟ ବାଏଁ ବାଏଁ ଉଡ଼ାଇଦେଇଥିଲା । ତେଣୁ ରାଜ୍ୟ ସରକାର ଏମିତି ଘୋଷଣା ନ କରନ୍ତୁ କିମ୍ବା ଲୋକଙ୍କ ପାଇଁ ଠୋସ୍ ପଦକ୍ଷେପ ନିଅନ୍ତୁ ଏମିତି ଦାବି ହେଉଛି।
