ଭୁବନେଶ୍ବର ୧୮|୭: ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି ବିଧାନସଭାରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଆକ୍ଷେପ ପ୍ରସଙ୍ଗ ଆଜି ଗୃହର ଶୂନ୍ୟକାଳରେ ପୁଣି ଉଠିଛି । ପ୍ରସଂଗ ଉଠାଇଛନ୍ତି ଖୋଦ୍ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଆଳୁ ମିଶନ ଓ ଶିତଳଭଣ୍ଡାର ସମ୍ପର୍କରେ ଗୃହରେ ଅର୍ଥମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଛନ୍ତି ବୋଲି ପ୍ରଦୀପ ମହାରଥୀ କହିଛନ୍ତି । ମହାରଥୀ କହିଛନ୍ତି ଯେ, ‘ମୋ ଦକ୍ଷତା ଯୋଗୁଁ ମୁଁ ଅନେକ ଥର ମନ୍ତ୍ରୀ ହୋଇଛି । ମୋ ସମୟରେ ଶିତଳଭଣ୍ଡାର ସଂଖ୍ୟା ୧୨୮ଟି ୪୮କୁ ଖସିଥିବା କଥା ଭୁଲ୍ । ବରଂ ଶିତଳଭଣ୍ଡାର ସଂଖ୍ୟା ୨୪ରୁ ୪୮କୁ ବଢିଥିଲା । ମହାରଥୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋ ସମୟରେ ରାଜ୍ୟ ୪ଥର କୃଷି କର୍ମଣ ପୁରସ୍କାର ପାଇଛି’ । କେହି ମହାରଥୀର ପାଟି ଚୁପ୍ କରାଇ ପାରିବେନି ବୋଲି ସେ ଆକ୍ରମଣାତ୍ମକ ଶୈଳୀରେ କହିଛନ୍ତି । ନିରଞ୍ଜନ ପୂଜାରୀ ଗତକାଲି ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ଗତ ୪୦ ବର୍ଷର କ୍ୟାରିୟର ଭିତରେ ଏଭଳି କେହି ବ୍ୟବହାର କରିନାହାନ୍ତି ବୋଲି ମହାରଥୀ କହିଥିଲେ ।
ମନ୍ତ୍ରୀ ମନ୍ତବ୍ୟ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ସେ ଦାବି କରିଛନ୍ତି । ନହେଲେ କାଲିଠୁ ଗୃହକୁ ଆସିବିନି ବୋଲି ମହାରଥୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ଆଳୁକୁ ନେଇ ମୁହାଁମୁହିଁ ହୋଇଥିଲେ ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାରଥୀ ଆଳୁ ମିଶନ ଓ ଶୀତଳ ଭଣ୍ଡାରର ସ୍ଥିତି ନେଇ ବିଧାନସଭାରେ ପ୍ରଶ୍ନ ପଚାରିବା ପରେ, ତାତିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଖୋଦ ମହାରଥୀ ପୂର୍ବରୁ କୃଷି ମନ୍ତ୍ରୀ ଥିଲେ, ତେଣୁ ଏବାବଦରେ ସେ ଫେଲୋସିପ୍ କରିଥିବା କହିଥିଲେ ନିରଞ୍ଜନ ।
ଆଳୁ ମିଶନ ମହାରଥୀଙ୍କ ସମୟରେ ଆରମ୍ଭ ହୋଇ ତାଙ୍କର କାର୍ଯ୍ୟକାଳ ସମୟରେ ହିଁ ଶେଷ ହୋଇଥିବା ନିରଞ୍ଜନ ଉତ୍ତର ରଖିଥିଲେ । ତେବେ ରାଜ୍ୟରେ ଆଳୁ ଅଭାବ ପୂରଣ ପାଇଁ ପୁଣି ଥରେ ଆଳୁ ମିଶନ କରିବାକୁ ସରକାର ଯୋଜନା କରୁଛନ୍ତି । ପୂର୍ବରୁ ହୋଇଥିବା ଆଳୁ ମିଶନର ଅବଧି ସରିଥିବାରୁ ଏବେ ନୂଆ ମିଶନ ପାଇଁ ଯୋଜନା କରାଯାଇଥିବା ଅଧୀକୃତ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ।
ତେବେ ରାଜ୍ୟରେ ଏବେ ୧୨.୭୦ ଲକ୍ଷ ମେଟ୍ରିକ ଟନ୍ ଆଳୁର ଚାହିଦା ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୨.୯୪ ଲକ୍ଷ ମେଟ୍ରିକ ଟନ୍ । ସେହିପରି ରାଜ୍ୟରେ ଏବେ ୧୨୮ ଶୀତଳ ଭଣ୍ଡାର ଥିବା ବେଳେ, ସେଥିମଧ୍ୟରୁ ୪୮ଟି ସଚଳ ଅଛି । ୮୦ଟି ଶିତଳଭଣ୍ଡାର ଅଚଳ ରହିଥିବା କହିଥିଲେ ନିରଞ୍ଜନ ପୂଜାରୀ ।