ପିପିଲି ଆଶା ତେଜିଲା, ଖୁବ୍ ଶୀଘ୍ର ଘୋଷଣା ହେବ ଉପ ନିର୍ବାଚନ ତାରିଖ, ରାଜ୍ୟ ନିର୍ବାଚନ ଅଧିକାରୀ ଦେଲେ ସୂଚନା
25/01/2021 at 2:07 PM

ପିପିଲି,୨୫/୧: ରାଜ୍ୟରେ ଖୁବଶୀଘ୍ର ପିପିଲି ଉପ ନିର୍ବାଚନ ତାରିଖ ଘୋଷଣା ହେବ । କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ।
ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ଅନୁମତି ଦେଇ ସାରିଛନ୍ତି । ଅତିଶୀଘ୍ର ତାରିଖ ଘୋଷଣା କରାଯିବ । କୋଭିଡ୍ ନିୟମ ପାଳନ କରି ସମସ୍ତ ମତଦାନ ପ୍ରକ୍ରିୟା ହେବ । ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ୍ ଦେବେ ।
ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିକ୍ରିୟା ପରେ ପିପିଲି ଉପ ନିର୍ବାଚନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଏବେ ରାଜନୈତିକ ଉଷ୍ମତା ଆ଼ଡକୁ ବାଟ ଭାଙ୍ଗିଛି । ଏହି ଆସନରୁ ବିଧାୟକ ଥିଲେ ପ୍ରଦୀପ ମହାରାଥୀ । ତାଙ୍କ ମୃତ୍ୟୁ ପରେ ଆସନ ଖାଲି ପଡିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ୩ ଦଳ ଏହି ଆସନରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏବେସୁଦ୍ଧା କୌଣସି ଦଳ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି । କାରଣ ସେ ନିଜେ କିଛି ଦିନ ତଳେ ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ବୋଲି କହିଥିଲେ । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଥିଲେ ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ସେ ଖୁସି ହେବେ । ନିର୍ବାଚନ ଏକ ପ୍ରକ୍ରିୟା । ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ସେ ରାଜି ହେବେ । ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗୀମ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ସେ ସ୍ୱାଗତ କରିବେ ବୋଲି କହିଥିଲେ ।