ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା: ମେ ୧୩ରେ ଭୋଟ୍, ୧୬ରେ ଫଳାଫଳ ଘୋଷଣା

Published By : Prameya-News7 Bureau | April 17, 2021 IST

ଭୁବନେଶ୍ଵର ୧୭।୦୪: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ବହୁ ଚର୍ଚ୍ଚିତ ପିପିଲି ଉପ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ସାନି ତାରିଖ ଘୋଷଣା କରିଛନ୍ତି। ମେ ୧୩ରେ ହେବ ପିପିଲି ଉପ ନିର୍ବାଚନ। ଭୋଟ୍ ଗଣତି ମେ ୧୬ରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମନୋନୟନ ପତ୍ର ଦାଖଲ ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୨୬ ରଖାଯାଇଛି। ଏପ୍ରିଲ ୨୭ର ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ ନିର୍ଦ୍ଧାରିତ କରାଯାଇଛି। ମେ ୧୩ରେ ମତଦାନ ଏବଂ ମେ ୧୬ରେ ଭୋଟ୍ ଗଣତି ହେବ ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ।

ତେବେ କେବଳ କଂଗ୍ରେସକୁ ନୂତନ ପ୍ରାର୍ଥୀ ଦେବାକୁ ସୁଯୋଗ ମିଳିବ। ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ମଇଦାନରେ ଅଛନ୍ତି ଆଶ୍ରିତ ପଟ୍ଟନାୟକ। ଏବେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା। ତେବେ ଅଜିତ୍‌ଙ୍କ ପରିବାରରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି।

ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ହେବାର ଥିଲା। ହେଲେ ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଘଟିଥିଲା। ଫଳରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଥିଲା। ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ସ୍ଥିର କରିଛନ୍ତି। ସାନି ତାରିଖ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇଥିଲେ।  ୧୦ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତ୍‌ଙ୍କ ପରଲୋକ ଘଟିଥିଲା। ତାଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

ବିଜେଡିର ଗଡ ଭାବେ ପରିଚିତ ପିପିଲି ବିଧାନସଭା ଆସନ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଛି। କରୋନା ଆକ୍ରାନ୍ତରେ ମଧ୍ୟ ପ୍ରଦୀପ ମହାରଥୀଙ୍କ ପ୍ରାଣହାନୀ ଘଟିଥିଲା। ମହାରଥୀ ଏହି ଆସନରୁ ସାତ ଥର ନିର୍ବାଚନ ଜିତିଛନ୍ତି। ଏବେ ଏହି ଆସନରୁ ତାଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.