ପିପିଲି ଉପନିର୍ବାଚନ: ଶେଷ ହେଲା ପ୍ରଚାର, ଗଡ଼ ଜିତିବାକୁ ଜୋର୍‌ଦାର୍‌ କସରତ୍‌ କଲେ ତିନି ଦଳ

Published By : Prameya-News7 Bureau | September 27, 2021 IST

ପିପିଲି, ୨୭/୦୯:  ପିପିଲି ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ଆଜି ବିଜେଡି ନେତା ଓ କର୍ମୀ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ବିଜେପି ଶେଷ ଦିନରରେ ହାଇ ଭୋଲଟେଜ ପ୍ରଚାର କରିଛି । ଏପଟେ କଂଗ୍ରେସ ମଧ୍ୟ ଶେଷ ଦିନରେ ଥଣ୍ଡା ପାଗରେ ବେଶ୍‌ ଝାଳ ବୁହାଇଛି ।  ପିପିଲିରେ ଫନି ଘରଭଙ୍ଗା ବଡ଼ ଇସ୍ୟୁ ହୋଇଥିବା ବେଳେ ବିଜେଡି ତାର ଗଡ଼ ରକ୍ଷା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଛି।

ଆଜି ପାଗ କୋହଲା ଥିଲା କିନ୍ତୁ ସମୟ ସରି ଆସୁଥିଲା। ସେଥିପାଇଁ ନେତା ଓ କର୍ମୀ ଯେତେ ସଂଭବ ଅଧିକ ଲୋକଙ୍କୁ ଭେଟୁଥିଲେ।  ବିଜେଡି ସରକାରଙ୍କ ଜନହିତକାରୀ ଯୋଜନା ଏବଂ ବିକାଶ କଥା କହି ଭୋଟ ଭିକ୍ଷା କରିଛି ।  ସ୍ବର୍ଗତ ପ୍ରଦୀପ ମହାରଥୀ  ସାତ ଥର  ଜିତିଥିଲେ ସୁଦ୍ଧା  ପୁତ୍ର ରୁଦ୍ର ମହାରଥୀ  ଭୋଟରଙ୍କୁ ନିଜ ପାଖରେ ରଖିବାକୁ ସମସ୍ତ ଉଦ୍ୟମ କରିଛନ୍ତି ।  ପିପିଲିରେ ବିଜେଡି  ୪୦  ହାଜର ଭୋଟ ବ୍ୟବଧାନରେ  ଜିତିବ ବୋଲି  ଦାବି କରିଛି ବିଜେଡି।

ପିପିଲିରେ ବଜେପି ପାଇଁ ଅଣ୍ଡର କରେଣ୍ଟ ସପୋର୍ଟ ରହିଛି ବୋଲି ଦଳ ଦାବି କରୁଛି । ସରକାରଙ୍କ ବିରୋଧରେ ଅସନ୍ତୋଷ, ଫନି ଘର ଭଙ୍ଗା ନେଇ ଲୋକଙ୍କ ମନରେ କ୍ଷୋଭ ବିଜେପି ପାଇଁ ସୁହାଇବ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି।  ବିଶେଷ କରି ଅସନ୍ତୋଷ ଭୋଟକୁ ବିଜେପି ଆଣିବାପାଇଁ ଦଳ  ଜୋରଦାର ପ୍ରଚାର କରିଛି।  ବିଜେପି ରାଜ୍ୟସଭାପତି ସମୀର ମହାନ୍ତି, ସମ୍ବିତ ପାତ୍ ଏବଂ ଅପରାଜିତା ଷଡଙ୍ଗୀ ହଇଭୋଲଟେଜ ପ୍ରଚାର କରିଛନ୍ତି।  

କଂଗ୍ରେସ  ନିଜର ଭୋଟ ବ୍ୟାଙ୍କ ରକ୍ଷା କରିବା ସହ ଏଥର କମାଲ କରିବା ଆଶା ଛାଡ଼ିନି।  ଡେଲାଙ୍ଗ ବ୍ଲକ ଉପରେ ବେଶୀ ଫୋକସ କରିଛି କଂଗ୍ରେସ। ଆଜି ପ୍ରାର୍ଥୀଙ୍କୁ ଧରି ବିଧାୟକ ସୁର ରାଉତରାୟ ପ୍ରଚାର କରିଛନ୍ତି। ଦରଦାମ ବୃଦ୍ଧି, ଦୁର୍ନୀତି, ପିପିଲି ପ୍ରତି ସରକାରଙ୍କ ଅବହେଳାକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯାଇଛି କଂଗ୍ରେସ।

କାଲି ପୋଲିଂ ପାର୍ଟି  ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ।  ଏଥିନିମନ୍ତେ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସଠାରୁ ପୋଲିଂ ପାର୍ଟି ଯାତ୍ରା କରିବ । ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟରର ବ୍ୟବସ୍ଥା ରହିଛି । ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ  ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।

ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମତଦାନ ହେବ । ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.