୨୦୨୫ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ମିଳିବ ପିଇବା ପାଣି

Published By : Prameya-News7 Bureau | November 19, 2019 IST

ଭୁବନେଶ୍ବର ୧୯।୧୧: ରାଜ୍ୟର ୪୭୩୬୬ ଗାଁରୁ ୧୯୫୦୪ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି । ରାଜ୍ୟର ପଚାଶ ପ୍ରତିଶତ ଗାଁକୁ ଏବେ ବି ପାଇପ୍ ଯୋଗେ ପିଇବା ପାଣି ପହଞ୍ଚିନି । ୨୦୨୦ ସୁଦ୍ଧା ସମସ୍ତ ସହରରେ ପାଇପ୍ ଯୋଗେ ପିଇବା ପାଣି ଉପଲବ୍ଧ ହେବ। ସହରର ସବୁ ଘରକୁ ଏହା ସଂଯୋଗ ହେବ । ଏନେଇ ପ୍ରଶ୍ନୋତ୍ତର କାଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ସେହିଭଳି ୨୦୨୪-୨୫ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ୪୪ ପ୍ରତିଶତ ଲୋକଙ୍କୁ ଏବେ ପାଇପ୍ ଯୋଗେ ପିଇବା ପାଣି ଦିଆଯାଉଛି। ଚାଲିଥିବା ପ୍ରକଳ୍ପ ଶେଷ ହେଲେ ୬୬ ପ୍ରତିଶତ ଲୋକଙ୍କ ପାଖରେ ଏହା ପହଁଞ୍ଚିବ। ଏଥିଲାଗି ରାଜ୍ୟ ସରକାର ୧୭୩୭୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ମାତ୍ର ୫୪୯ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏବର୍ଷ ଏଥିପାଇଁ ୧୭୩୭୨ କୋଟି ବ୍ୟୟ ବରାଦ ହୋଇଛି । କେନ୍ଦ୍ର ମାତ୍ର ୫୪୯ କୋଟି ଟଙ୍କା ଦେଇଛି।

କୋରାପୁଟ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ମନ୍ତ୍ରୀଙ୍କୁ ଅଫିସର ବିଭ୍ରାନ୍ତ କରିଛନ୍ତି । ଗୃହରେ ମନ୍ତ୍ରୀ ଅସତ୍ୟ ତଥ୍ୟ ଦେଇଛନ୍ତି । କୋରାପୁଟରେ ୪୯୧ ପିଇବା ପାଣି ପ୍ରକଳ୍ପରୁ ୭ଟି ଅଚଳ ବୋଲି କହିଥିଲେ ମନ୍ତ୍ରୀ । ତାରା କହିଲେ ରାଜ୍ୟର ୫୦ପ୍ରତିଶତ ପ୍ରକଳ୍ପ ଅଚଳ ପଡିଛି।

ପାଇପ୍ ଯୋଗେ ପିଇବା ପାଣି ଯୋଗାଇବା ପ୍ରକଳ୍ପ ୧୩ ବର୍ଷ ହେଲା ଚାଲିଛି ସରୁନି। ନିଜ ଅଞ୍ଚଳର ଉଦାହରଣ ଦେଇ ପ୍ରକଳ୍ପ ବାସ୍ତବତାର ଗୁମର ଖୋଲିଲେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ। ବୌଦ୍ଧ ବିଧାୟକ ପ୍ରଦୀପ ଅମାତଙ୍କ ଏକ ପ୍ରଶ୍ନରେ ଆଚମ୍ଵିତ ହେଲେ ଖୋଦ୍ ମନ୍ତ୍ରୀ । ହରଭଙ୍ଗା ବ୍ଲକର ଏକ ପଞ୍ଚାୟତରେ ୧୩ ବର୍ଷ ହେଲା ପାଇପ୍ ଯୋଗେ ପାନୀୟ ପ୍ରକଳ୍ପ କାମ ଚାଲିଛି ଯେ, ସରିବାର ନାଁ ଧରୁନି। ମନ୍ତ୍ରୀ କହିଲେ ଏହା ଆଶ୍ଚର୍ଯ୍ୟଜନକ। ଏହାକୁ ନିଜେ ଅନୁଧ୍ୟାନ କରି ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ।

ପ୍ରଶ୍ନ ପଚାରିବା ଛଳରେ ମନ୍ତ୍ରୀଙ୍କୁ କଟାକ୍ଷ କଲେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ । ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ। ୨୦୨୦ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଦେବାକୁ ପୂର୍ବରୁ କହିଥିଲେ, ଗୃହରେ ଚିରାଚରିତ ଉତ୍ତର ରଖୁଛନ୍ତି। ତୁରନ୍ତର ସଂଜ୍ଞା କଣ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.