ବଢ ଧରଣର ଦୁର୍ଘଟଣା : ଗ୍ୟାସ ପାଇପ୍‌ ବିସ୍ଫୋରଣ ଘଟି ୧୧ ଜଣଙ୍କର ମୃତ୍ୟୁ, ୩୭ ଗୁରୁତର, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

Published By : Prameya-News7 Bureau | June 13, 2021 IST

ବେଜିଂ ୧୩/ ୦୬ : ମଧ୍ୟ ଚୀନର ହୁଓ୍ବେଇ ଅଞ୍ଚଳରେ ରବିବାର ଏକ ଫ୍ୟାକ୍ଟିରେ ଭୀଷଣ ଗ୍ୟାସ ପାଇପ୍ ବିସ୍ଫୋରଣ ଘଟିଛି । ଏହି ମର୍ମନ୍ତୁଦ ଗ୍ୟାସ୍ ପାଇପ ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୭ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଚୀନ ଗଣମାଧ୍ୟମ ଏ ନେଇ ସୂଚନା ଦେଇଛି । ଝାଙ୍ଗଓ୍ବାନ୍‌ ଜିଲ୍ଲାର ଶିୟାନ ସହରରେ ରବିବାର ଭୋରରୁ ଏହି ବିସ୍ଫୋରଣ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣରେ ନିକଟରେ ଥିବା ଏକ ବଜାରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିସ୍ଫୋରଣରେ ଅନେକ ବିଲ୍ଡିଂ ଧ୍ବଂସ ହୋଇଯାଇଥିବା ବେଳେ ଅନେକ ଗୁଡିଏ ଘର କ୍ଷତିଗ୍ରସ୍ତ ହୋଇଛି । ଗ୍ୟାସ ବିସ୍ଫୋରଣରେ ମୋଟ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ । କାରଣ ଅନେକ ଲୋକ କ୍ଷତିଗ୍ରସ୍ତ ଘର ଗୁଡିକ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ୩୭ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲଗୁଚଡିକରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଭୁଷୁଡି ପଡିଥିବା ଘରଗୁଡିକ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିିଛି । ଚୀନର ଏକ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ଢେର ଅଧିକ ହୋଇପାରେ । ଭୁଷୁଡି ପଡିଥିବା ଘରଗୁଡିକ ତଳେ କିଛି ଲୋକ ଚାପି ହୋଇଯାଇଥିବା ଖବର ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ତେବେ କେଉଁ କାରଣ ପାଇଁ ଏଭଳି ଏକ ଭୟଙ୍କର ବିସ୍ଫୋରଣ ହେଲା ତାହାର ସଠିକ ସୂଚନା ମିଳିନଥିବା ବେଳେ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.