ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ଦୋଳବେଦୀରେ କମାର ସେବାୟତମାନଙ୍କ ଦ୍ବାରା ପ୍ରସ୍ତୁତ ଚାଲିଛି ରଥ କଣ୍ଟା
24/06/2019 at 4:55 PM

ପୁରୀ ୨୪|୬: ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ତିନି ରଥ ନିର୍ମାଣ ପାଇଁ ରଥ ଖଳା ଭଳି ଦୋଳ ବେଦୀ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । କମାରସେବକମାନଙ୍କ ଭାଷାରେ ଏହାକୁ ରଥ ନିର୍ମାଣ ପାଇଁ ରୋଷ ଶାଳା ମଧ୍ୟ କୁହାଯାଏ। କାରଣ ଏଠାରେ ତିଆରି ଚାଲିଛି ବିଭିନ୍ନ ପ୍ରକାରର ରଥକଣ୍ଟା।

ଜୁଲାଇ ୪ରେ ଘୋଷଯାତ୍ରା । ଦୋଳବେଦୀରେ ପ୍ରସ୍ତୁତ ଚାଲିଛି ସମସ୍ତ ପ୍ରକାର ରଥ କଣ୍ଟା। ତିନିରଥ ପାଇଁ ଆବଶ୍ୟକ ହୁଏ ପ୍ରାୟ ୫୦ ରୁ ୬୦ ପ୍ରକାରର କଣ୍ଟା । ୨ ଇଞ୍ଚରୁ ଆରମ୍ଭ କରି ୫ ଫୁଟ ପର୍ଯ୍ୟନ୍ତ ସମସ୍ତ ପ୍ରକାର କଣ୍ଟା ଏହି ରୋଷ ଶାଳାରେ ହିଁ ତିଆରି ହୁଏ । ଅରକଣ୍ଟା, ପନ୍ଦାରୀ, ଚାବି, ବଳା, ଯୋଖା ଭଳି ଅନେକ ପ୍ରକାରର ଗୁରୁତ୍ୱପୁର୍ଣ୍ଣ କଣ୍ଟା ତିଆରି କରନ୍ତି କମାରସେବକମାନେ । ଏହି ସବୁ କଣ୍ଟା ତିଆରି ପାଇଁ ସ୍ବତନ୍ତ୍ର ଶୈଳୀ ବ୍ୟବହାର କରାଯାଏ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲୁହା ରଡ଼୍ ଓ ଫ୍ଲଟ୍ ସହ କୋଇଲା ଯୋଗାଇ ଦିଆଯାଏ। ତିନିରଥର ମୁଖ୍ୟ କମାର ସେବକମାନେ ପ୍ରଥମେ ତିନୋଟି ଚୁଲି ପ୍ରସ୍ତୁତ କରିଥାନ୍ତି । ଲୁହାକୁ କମାରଶାଳରେ ଗରମ କରି କଣ୍ଟା ତିଆରି ଚାଲେ ଏଥିରେ। ଏହି କାର୍ଯ୍ୟ କଲାବେଳେ କମାରସେବକ ମାନେ ହବିଷାନ୍ନ କରି ଅତ୍ୟନ୍ତ ନିଷ୍ଠା ଓ ନିୟମର ସହିତ ରହିଥାଆନ୍ତି।

ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥ ନିର୍ମାଣରେ କମାର ସେବକଙ୍କ ସେବା ବେଶ୍ ଗୁରୁତ୍ବପୂର୍ଣ୍ଣ । ରଥ ନିର୍ମାଣରେ ଦରକାର ପଡ଼ୁଥିବା କଣ୍ଟା ବଜାରରେ ମିଳେ ନାହିଁ। କାରଣ ଏହାର ଲମ୍ବା, ମୋଟେଇ ଓ ଆକାର ସବୁଠାରୁ ନିଆରା । ଏହି ବିଦ୍ୟାକୁ ଆୟତ୍ତ କରିବା ପାଇଁ ବାପ, ଅଜାଙ୍କ ଠାରୁ ତାଲିମ ନେବାକୁ ପଡ଼ିଥାଏ। ଟିଣ ଘର ଭିତରେ ତିନୋଟି ଚୁଲିରେ ଜଳୁଥିବା କୋଇଲାରୁ ଲାଲ୍ ଟକ୍ ଟକ୍ ଲୁହା ଛଡ଼କୁ କାଢ଼ି ପ୍ରସ୍ତୁତ କରାଯାଏ କଣ୍ଟା।

ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କମାର ସେବାୟତଙ୍କ ପ୍ରମୁଖ ଯୋଗଦାନ ରହିଛି। ତିନି ରଥ ନିର୍ମାଣ ଶେଷ ପର୍ଯ୍ୟନ୍ତ ବେଶ୍ ନିଷ୍ଠାର ସହ ଏହି ସେବାୟତମାନେ କାମ କରିଥାଆନ୍ତି । ସ୍ବଳ୍ପ ପାରିଶ୍ରମିକ ସତ୍ତ୍ବେ ଖରା, ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ସେବା ନିମିତ୍ତ ଏହି କମାର ସେବାୟତମାନେ ଆନନ୍ଦ ଉତ୍ସାହର ସହ କାର୍ଯ୍ୟ କରିଥାନ୍ତି।