Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାମୀ-ସ୍ତ୍ରୀଙ୍କ କଳିରେ ବଳି ପଡିଗଲା ଦେଢ଼ ମାସର ଶିଶୁ: ରାଗରେ ନଦୀକୁ ଫିଙ୍ଗି ଦେଲା ନିଷ୍ଠୁର ବାପା

14/08/2020 at 8:58 AM

ବାଲେଶ୍ୱର୧୪/୮: ଏଇ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ରେ ଜଣେ ଦୁର୍ବୃତ୍ତ ୨ ମାସ ଶିଶୁର ହାତକୁ ଧାରୁଆ ଅସ୍ତ୍ରରେ ହାଣିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଛି । ଜନ୍ମକଲା ବାପା ୨ ମାସର ଶିଶୁପୁତ୍ରକୁ ଅତି ନିଷ୍ଠୁର ଭାବେ କଚାଡ଼ି ମାରିବା ସହ ନଈକୁ ଫୋପାଡ଼ି ଦେଇଛି । ଶେଷରେ ନିଷ୍ପାପ ଶିଶୁଟି ମେଡିକାଲରେ ଆଖି ବୁଝିଛି । ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ କେଶପୁର ଗାଁରେ ଘଟିଛି । ନିଷ୍ଠୁର ବାପା କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଭାତ କୁମାର ପଇକୁ ପୁଲିସ ଥାନାରେ ଅଟକ ରଖିଛି ।

ଘଟଣାରୁ ପ୍ରକାଶ, କେନ୍ଦ୍ରାପଡା ଅଞ୍ଚଳର ପ୍ରଭାତ କୁମାର ପଇ ୭ ବର୍ଷ ତଳେ ଯାଜପୁର ଜିଲ୍ଲାର ରୋଜାଲିନ(୨୭)ଙ୍କୁ ପ୍ରେମ ବିବାହ କରିଥିଲେ । ପରେ ସେମାନେ ବାଲେଶ୍ୱର ସହରର ବାରବାଟି ଅଞ୍ଚଳରେ ଭଡ଼ା ଘରେ ରହି ଆସୁଥିଲେ। ଗତ କିଛି ଦିନ ତଳେ ପ୍ରଭାତ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଲେ ରୋଜାଲିନ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଏନେଇ କିଛି ଦିନ ତଳେ ରୋଜାଲିନ ରାଗି ବାପଘର ଯାଜପୁରକୁ ପଳାଇ ଯାଇଥିଲେ। ପ୍ରଭାତ ଗତ ବୁଧବାର ଯାଜପୁର ଯାଇ ବୁଝା ସୁଝା କରି ରୋଜାଲିନଙ୍କୁ ବାଲେଶ୍ୱର ଆଣିଥିଲା ।

ମୋଟର ସାଇକେଲରେ ଆସିବା ବେଳେ ମନ୍ଦ ଉଦ୍ଦେଶ୍ୟ ରଖି ବାଲେଶ୍ୱରରେ ବିଭିନ୍ନ ବାଟରେ ବୁଲାଇ ବୁଲାଇ ଆଣି ରାତି ପ୍ରାୟ ୧୨ଟା ବେଳେ ଶ୍ରୀନିକ୍ସ କଲେଜ ପଛପଟ କେଶପୁର ଗାଁର ବୁଢ଼ାବଳଙ୍ଗ ନଦୀ କୂଳରେ ପହଞ୍ଚିଥିଲା । ସେଠାରେ ଉଭୟ ପତ୍ନୀ ଓ ପୁତ୍ର ଉପରେ ସେ ରାଗ ସୁଝାଇଥିଲା । ଅତି ଅମାନୁଷିକ ଭାବେ ଦୁଇମାସର ଶିଶୁପୁତ୍ର କଳ୍ପତରୁକୁ ନଦୀବନ୍ଧରେ କଚାଡିଥିଲା। ଏତିକିରେ ତା’ ମନ ଶାନ୍ତି ହୋଇ ନଥିଲା ।

ଶେଷରେ ଜୀବନରୁ ମାରି ଦେବାକୁ କଳ୍ପତରୁକୁ ନଦୀକୁ ଫିଙ୍ଗି ଦେଇଥିଲା । ରୋଜାଲିନ୍‌ ପୁଅକୁ ପାଣିରୁ ଉଠାଇ ଆଣିଥିଲେ । ଏଥିରେ ପ୍ରଭାତ ରକ୍ତମୁଖା ହୋଇ ରୋଜାଲିନଙ୍କ ବେକରେ ଏକ ପ୍ଳାଷ୍ଟିକ ରଶି ବାନ୍ଧି ମାରିଦେବାକୁ ଉଦ୍ୟମ କରିଥିଲା । ପାଟିତୁଣ୍ଡ ଶୁଣି ଗାଁଲୋକେ ସେଠାରେ ପହଞ୍ଚିଥିଲେ । ଶିଶୁପୁତ୍ରକୁ ବାଲେଶ୍ୱର ମେଡିକାଲ ନେଇଥିଲେ । ମାତ୍ର ସେହି ରାତିରେ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା । ପ୍ରଭାତକୁ କାବୁ କରି ଗ୍ରାମବାସୀ ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ । ଏନେଇ ରୋଜାଲିନ୍‌ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ଖବର ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇ ନଥିଲା । ମେଡିକାଲ ଫାଣ୍ଡି ପୁଲିସ ପ୍ରଭାତକୁ ସହଦେବଖୁଣ୍ଟା ଥାନାକୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ, ତାଙ୍କର ୬ ବର୍ଷର ଝିଅଟିଏ ଅଛି ।

   Related Posts