ପତ୍ନୀ ଓ ସନ୍ତାନ ଥାଇ ମଧ୍ୟ ଯୁବକ କୁଆଁରା! ଅଭିଯୋଗ ପରେ ପ୍ରେମ ଖେଳରେ ପଡ଼ିଗଲା ପୂର୍ଣ୍ଣଚ୍ଛେଦ

Published By : Prameya-News7 Bureau | February 25, 2020 IST

ଭୁବନେଶ୍ବର୨୫/୨: ରାଜଧାନୀର ସହିଦ ନଗର ଥାନାରେ ଗୋଟେ ଅଜବ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯୁବକଙ୍କୁ ନିଜ ସ୍ବାମୀ ଦାବି କରି ଥାନାକୁ ଆସିଥିଲେ ୨ଜଣ ଯୁବତୀ । ବୁଝୁ ବୁଝୁ ଜଣାପଡ଼ିଲା ଯୁବକ ଜଣକ ପୂର୍ବରୁ ବିବାହ କରିଥିଲେ ମଧ୍ୟ ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ତାଙ୍କୁ ମଧ୍ୟ ମନ୍ଦିରରେ ଫୁଲମାଳ ଦେଇ ବାହା ହୋଇଥିଲେ । ହେଲେ ପୂରା ଷ୍ଟୋରିର କ୍ଲାଇମାକ୍ସ ବେଳକୁ ପତୀ, ପତ୍ନୀ ଔର୍‌ ଓ୍ବ ଭିତରେ ବିଚରା ବଳି ପଡ଼ିଥିଲେ ପତି । ଆଉ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକଙ୍କୁ ଜେଲ୍‌ ପଠାଇଥିଲା ପୋଲିସ ।

ଯେଉଁଥିରେ ପତି ପତ୍ନୀ ଔର ଓ୍ବ କାହାଣୀର ଟ୍ବିଷ୍ଟକୁ ଖୁବ୍‌ ରୋଚକ ଭାବେ ପ୍ରେଜେଣ୍ଟ୍‌ କରାଯାଇଛି । ହେଲେ ଏହି ରିଲ୍‌ ଷ୍ଟୋରି ଯେତେବେଳେ ରିୟଲରେ ସାମ୍ନାକୁ ଆସିଛି ସେତେବେଳେ ବିଚରା ପତିକୁ ଜେଲ୍‌ ଯିବାକୁ ପଡ଼ିଛି । ପ୍ରଥମ ପତ୍ନୀଙ୍କୁ ପ୍ରେମ ବିବାହ କରି ତାଙ୍କ ସହ ୪ବର୍ଷ ବିତାଇବା ପରେ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଯୁବକ ଜଣକ । ତାଙ୍କୁ ମଧ୍ୟ ମନ୍ଦିରରେ ଫୁଲମାଳ ଦେଇ ବାହା ହୋଇପଡ଼ିଥିଲେ । ହେ​ଲେ ସ୍ବାମୀ କାହାର ?  ଏ ପ୍ରଶ୍ନକୁ ନେଇ ଯେତେବେଳେ ପ୍ରଥମ ପତ୍ନୀ ଓ ଦ୍ବିତୀୟ ପତ୍ନୀଙ୍କ ଭିତରେ ଝାମେଲା ବଢ଼ିଲା, ସେତେବେଳେ ସମସ୍ତେ ଟଣାଟଣି ହୋଇ ଆସିଲେ ଥାନାକୁ । ଆଉ ତା’ପରେ ଆରମ୍ଭ ହୋଇଗଲା ପରସ୍ପର ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ।

ସ୍ବପ୍ନା ସହ ଘର ସଂସାର କରିବାର ସ୍ବପ୍ନ ଦେଖାଇ ପୁଣି ପ୍ରିୟା ସହ ପ୍ରେମ କରିବା ସଂପୃକ୍ତ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଦ୍ବିତୀୟ ପତ୍ନୀଙ୍କ ପ୍ରିୟାଙ୍କ ପ୍ରେମ ପ୍ରତାରଣା ଅଭିଯୋଗ ପରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବା ପରେ ଜେଲ୍‌ ପଠାଇଦେଇଛି ।

ପତ୍ନୀ ଓ ସନ୍ତାନ ଥାଇ ମଧ୍ୟ ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିବା, ପୁଣି ଛଳନା କରି ଦ୍ବିତୀୟ ବିବାହ କରିବା ଏବେ ଏହି ଯୁବକଙ୍କୁ ହରଡ଼ଘଣାରେ ପକାଇଦେଇଛି । ପରିସ୍ଥିତି ଏମିତି ହୋଇଛି ଯେ ଉଭୟଙ୍କ ଭିତରୁ କାହାର ବି ସ୍ବାମୀ ହେବାର ମଉକା ବି ହାତରୁ ଯାଇଛି । ଆଉ ଶେଷରେ ଜେଲର ହାଓ୍ବା ଖାଇବାକୁ ବାଧ୍ୟ କରିଛି ପତି ପତ୍ନୀ ଔର ଓ୍ବର ଏହି କାହାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.