ଆଇପିଏଲ ଉପରେ ରୋକ୍ ପାଇଁ ସୁପ୍ରିମକୋର୍ଟରେ ମାମଲା, ତ୍ୱରିତ ଶୁଣାଣି ପାଇଁ ମନାକଲେ କୋର୍ଟ
12/03/2020 at 3:13 PM

ନୂଆଦିଲ୍ଲୀ, ୧୨|୦୩: କରୋନା ଭାଇରସକୁ ନେଇ ଚାରିଆଡେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗକୁ ସ୍ଥଗିତ କରିବା ପାଇଁ ଆଲୋଚନା ହେଉଛି। ତେବେ ଆଇପିଏଲ ୨୦୨୦ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏଥିରେ କୋର୍ଟ ଏନେଇ ତ୍ୱରିତ ଶୁଣାଣି କରନ୍ତୁ ବୋଲି କୁହାଯାଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।
ବିସିସିଆଇର ସୂତ୍ରାନୁସାରେ, କରୋନା ସଂକ୍ରମଣ କାରଣରୁ ସରକାର ଭିସା ଉପରେ କଟକଣା ଲଗାଇଛନ୍ତି। ଫଳରେ ଆଗାମୀ ଏପ୍ରିଲ ୧୫ ସୁଦ୍ଧା କୌଣସି ବିଦେଶୀ ଖେଳାଳି ଆଇପିଏଲ ପାଇଁ ଉପଲବ୍ଧ ହେବେ ନାହିଁ।

ଏହାପୂର୍ବରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ବୁଧବାର କହିଥିଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖିଲେ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଆଇପିଏଲ ମ୍ୟାଚକୁ ସ୍ଥଗିତ କିମ୍ବା ଏହାକୁ କେବଳ ଟିଭି ଦର୍ଶକଙ୍କ ମଧ୍ୟରେ ସୀମିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେ ସେହି ସମୟରେ ପ୍ରତିକ୍ରିୟା ଦେଇଥିଲେ ଯେତେବେଳେ ମହାରାଷ୍ଟ୍ରର ୨ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ।

ସେ ଆହୁରି କହିଥିଲେ ଯେ, ରାଜ୍ୟ କ୍ୟାବିନେଟରେ କରୋନା ଓ ଆଇପିଏଲ ବାବଦରେ ଚର୍ଚ୍ଚା ହୋଇଥିଲା। ଚର୍ଚ୍ଚାରେ ଏହି ୨ ବିକଳ୍ପ ବାବଦରେ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଛୁଇଁଛି। ତେବେ ଟିକେଟ ବିକ୍ରି ହେବ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ସରକାର କହିଚନ୍ତି। ଏନେଇ ଶେଷ ନିଷ୍ପତ୍ତି ଅତିଶୀଘ୍ର ନିଆଯିବ ବୋଲି ସରକାର କହିଛନ୍ତି।