କୋଭିଡ୍ ସେଣ୍ଟର ଭିତରେ ଆରାମରେ ବୁଲୁଛନ୍ତି ଘୁଷୁରିପଲ, ଭିଡିଓ ଭାଇରାଲ ପରେ ବଢିଲା ଚିନ୍ତା
19/07/2020 at 4:33 PM

ବେଙ୍ଗାଲୁରୁ ୧୯।୦୭: ଦେଶରେ କରୋନା ସଂକ୍ରମଣ ଉଦ୍ବେଗଜନକ ଭାବେ ବଢିବାରେ ଲାଗିଛି। ସ୍ପର୍ଶକାତର ତାଲିକାରେ କର୍ଣ୍ଣାଟକ ଚତୁର୍ଥରେ ରହିଛି। ରାଜ୍ୟରେ ହୁ ହୁ ସଂକ୍ରମଣ ବଢିବାରେ ଲାଗିଛି। ଏହା ମଧ୍ୟରେ କର୍ଣ୍ଣାଟକର ଏକ ହସ୍ପିଟାଲରେ ବିଚଳିତ କରିବା ପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ରାଜ୍ୟର କଲବୁରାଗି ଜିଲ୍ଲାର କୋଭିଡ୍-୧୯ ହସ୍ପିଟାଲ ଭିତରେ ଅନାୟାସରେ ଘୁଷୁରି ପଲ ବୁଲୁଥିବା ଦେଖିବାକୁ ମିଳୁଛି। ଜାତୀୟ ଗଣମାଧ୍ୟମ ଚ୍ୟାନେଲ୍ ଜି ନ୍ୟୁଜ୍ ଦ୍ଵାରା ଜାରି ଭିିଡିଓରେ ଦେଖିବାକୁ ମିଳିଛି।
ଆଶ୍ଚର୍ଯ୍ୟକର କଥା ଏମିତି ଜଟିଳ ସ୍ଥିତିରେ ଯେଉଁଠି କରୋନା ପରି ମାରାତ୍ମକ ରୋଗର ଚିକିତ୍ସା କରାଯାଉଛି, ସେହି ପରିସରରେ ୫୦ ଘୁଷୁରି ଆରାମରେ ବୁଲୁଥିବା ଦେଖିବାକୁ ମିଳିଛି। କଲବୁରାଗି ଜିଲ୍ଲାର ଏହି କୋଭିଡ୍-୧୯ ହସ୍ପିଟାଲରେ ପୁଣି ସଂକ୍ରମିତ ଭର୍ତ୍ତି ହୋଇଛନ୍ତି। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାହାରି ହେଲେ ଘୁଷୁରି ଦଳ ପ୍ରତି ତିଳେ ହେଲେ ନିଘା ନାହିଁ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
Shocking video emerges from Karnataka govt hospital; 50 pigs found roaming hospital corridor in Kalaburagi pic.twitter.com/Daw3SHnZ0R
— Zee News English (@ZeeNewsEnglish) July 19, 2020
ଆଶ୍ଚର୍ଯ୍ୟକର କଥା ହସ୍ପିଟାଲରେ ମାଳ ମାଳ ଘୁଷୁରି ବୁଲୁଛନ୍ତି ଏବଂ ତାରି ପାଖ ଦେଇ ଡାକ୍ତର ଏବଂ ଲୋକେ ମଧ୍ୟ ଯିବା ଆସିବା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ପ୍ରକାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସ୍ଵଚ୍ଛତା ପ୍ରତି ଓ ରୋଗୀଙ୍କ ସୁରକ୍ଷା ନେଇ ଏମିତି ବେପରୁଆ ଏବଂ ଚରମ ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଭିଡିଓରେ ସରକାରୀ ହସ୍ପିଟାଲର ସ୍ଥିତିକୁ ମଧ୍ୟ ଉଜାଗର କରିଛି କାରଣ ଗତ କିଛି ଦିନରେ କର୍ଣ୍ଣାଟକରେ କରୋନା ସଂକ୍ରମିତ ସଂଖ୍ୟା ସାଙ୍ଘାତିକ ଭାବେ ବଢି ଚାଲିଛି।
ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ୧୮ରେ କର୍ଣ୍ଣାଟକରେ ୪୫୩୭ ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୫୯,୬୫୨ରେ ପହଞ୍ଚିଛି। ଯଦି ସରକାରୀ ହସ୍ପିଟାଲରେ ଏମିତି ଚିକିତ୍ସା ବ୍ୟବସ୍ଥା ଚାଲିବ ତେବେ ସଂକ୍ରମଣ ସଂଖ୍ୟା ଆଉ କେତେ ବଢିବ ତାହା କେହି କହି ପାରିବେ ନାହିଁ।
ସୌଜନ୍ୟ- ଜି ନ୍ୟୁଜ୍