ଶାରୀରିକ ଅକ୍ଷମ ଲୋକଙ୍କୁ ମିଳିବ ଗ୍ରୁପ ଏ ଓ ବି ପଦରେ ପଦୋନ୍ନତି, ଶୀଘ୍ର ନୀତି ଆଣିବେ ରାଜ୍ୟ ସରକାର
13/07/2020 at 6:58 PM

ମୁମ୍ବାଇ ୧୩।୦୭: ମହାରାଷ୍ଟ୍ର ସରକାର ଶାରୀରିକ ଭାବେ ଅକ୍ଷମ ଲୋକଙ୍କ ସଂରକ୍ଷଣରେ ପଦୋନ୍ନତି ପାଇଁ ଖୁବ୍ ଶୀଘ୍ର ନୀତି କରିବାକୁ ଯାଉଛନ୍ତି। ଏହା ପରେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଗ୍ରୁପ ଏ ଓ ବି ପଦରେ ପଦୋନ୍ନତି ମିଳି ପାରିବ। ମହାରାଷ୍ଟ୍ର ସରକାର ଶୁକ୍ରବାର ଏହି ପ୍ରସ୍ତାବ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଉପସ୍ଥାପନ କରିଛି।
ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ହାଜର ଓକିଲ ଏ.ଏମ. ଦେଶପାଣ୍ଡେ ବିଚାରପତି ଏସଏମ ମୋଡକେ ଓ ବିଚାରପତି ସୁନିଲ ଶୁକରେଙ୍କ ପୀଠରେ କହିଛନ୍ତ ଅଦ୍ୟାବଧି ଶାରୀରିକ ଭାବେ ଅକ୍ଷମ ଲୋକଙ୍କ ପାଇଁ ଗ୍ରୁପ ଏ ଓ ବି ପଦରେ ପଦୋନ୍ନତି ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ, ମାତ୍ର ଶୀଘ୍ର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏମିତି ଲୋକଙ୍କୁ ପଦୋନ୍ନତିରେ ସଂରକ୍ଷଣ ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବେ।
ଓକିଲ ଏଏମ ଦେଶପାଣ୍ଡେ ରବିନ୍ଦ୍ର ଓକେୟଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ନିଜର ଉତ୍ତର ରଖିଥିଲେ। ରବିନ୍ଦ୍ର ନାଗପୁର ଜିଲ୍ଲା ପରିଷଦରେ ଗ୍ରୁପ ସିର ପଦରେ ଏକ୍ସଟେନସନ ଅଫିସର ଭାବେ କାର୍ଯ୍ୟରତ। ସେ ପର୍ସନ ଓ୍ଵିଥ ଡିସଏବିଲିଟିଜ ଆକ୍ଟ ୧୯୯୫ର ଧାର ୩୩ ଅନ୍ତର୍ଗତ ଅତି କମରେ ୩ ପ୍ରତିଶତ ସଂରକ୍ଷଣ ଆଧାରରେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ତାଙ୍କୁ ଗ୍ରୁପ ବିରେ ପଦନ୍ନୋତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦେବାକୁ ଦାବି କରିଛନ୍ତି।
ସେ ଦାବି କରିଛନ୍ତି ଯେ, ୨୦୧୬ରେ ସୁପ୍ରିମକୋର୍ଟ ଶାରୀରିକ ଭାବେ ଅକ୍ଷମ ଲୋକଙ୍କ ସଂରକ୍ଷଣରେ ପଦୋନ୍ନତି ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ତେଣୁ ସେ ଗ୍ରୁପ ବି ପୋଷ୍ଟରେ ପଦୋନ୍ନତି ପାଇଁ ହକଦାର। ହେଲେ ହାଇକୋର୍ଟ ଉକେୟଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ୫୦ ବର୍ଷୀୟ ଏକ୍ସଟେନସନ ଅଫିସରଙ୍କୁ ଆଶ୍ଵସ୍ତି ଦିଆଯାଇ ପାରିବ ନାହିଁ କାରଣ ମହାରାଷ୍ଟ୍ରରେ ଶାରୀରିକ ଭାବେ ଅକ୍ଷମ ଲୋକଙ୍କ ପାଇଁ ପଦୋନ୍ନତିରେ ଏ ଯାଏ କୌଣସି ନୀତି ନିର୍ଦ୍ଧାରଣ ହୋଇ ନାହିଁ। କିନ୍ତୁ ରାଜ୍ୟ ସରକାର ଏବେ ପଦନ୍ନୋତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।