ଗର୍ଭବତୀ ମହିଳାଙ୍କୁ ଗୋଟିଏ ରାତିରେ ୧୧ଥର ଗଣଦୁଷ୍କର୍ମ : ପ୍ରେମିକ କଲେ ଆତ୍ମହତ୍ୟା, ୫ ଗିରଫ

Published By : Prameya-News7 Bureau | September 04, 2019 IST

ଉଦୟପୁର ୪/୯: ଜଣେ ଗର୍ଭବତୀ ମହିଳାଙ୍କୁ ଗୋଟିଏ ରାତି ଭିତରେ ୧୧ଥର ଗଣଦୁଷ୍କର୍ମ କରାଯାଇଛି। ସମାଜରେ ବଦନାମ ହେବା ଡରରେ ପୀଡ଼ିତାଙ୍କ ପ୍ରେମିକ ଆତ୍ମହତ୍ୟା କରିଥିଲେ ଏବଂ ପୀଡ଼ିତା ଦୁଷ୍କର୍ମ କଥା କାହାକୁ କହିନଥିଲେ। ଦୁଷ୍କର୍ମ ଯୋଗୁଁ ତାଙ୍କ ଗର୍ଭରେ ବଢ଼ୁଥିବା ଦେଢ଼ ମାସର ଭ୍ରୃଣ ମଧ୍ୟ ନଷ୍ଟ ହୋଇଯାଇଥିଲା।

ଏହି ଅଭାବନୀୟ ଘଟଣାଟି ଘଟିଛି ରାଜସ୍ଥାନର ବାଂସଓ୍ବାଡ଼ା ଜିଲ୍ଲାର ସଦର ଥାନା ଅଞ୍ଚଳରେ। ଆତ୍ମହତ୍ୟା କାରଣ ଯାଞ୍ଚ କରୁଥିବା ପୋଲିସ୍ ମୋବାଇଲ୍ କଲ୍ ଡିଟେଲ୍ସ ଆଧାରରେ ପ୍ରେମିକା ଯାଏଁ ପହଞ୍ଚିଥିଲା ଏବଂ ଘଟଣାର ପାଖାପାଖି ୩ସପ୍ତାହ ପରେ ଘଟଣା ବିଷୟରେ ଜଣା ପଡ଼ିଥିଲା। ପୀଡ଼ିତାଙ୍କଠୁ ଘଟଣା ବିଷୟରେ ଜଣା ପଡ଼ିବାରୁ ସମସ୍ତ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କୋର୍ଟ ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି।

ପୋଲିସ୍ କହିବାନୁସାରେ ଘଟଣାଟି ଘଟିଥିଲା ଗତ ଜୁଲାଇ ୧୩ତାରିଖରେ। ଯୁବକ ଜଣକ ଅବିବାହିତ ପ୍ରେମିକାଙ୍କ ସହ ରାତିରେ ବାଇକରେ ଗାଁକୁ ଫେରୁଥିଲେ। ବାଟରେ କୌଣସି କଥାକୁ ନେଇ ଝଗଡ଼ା ପରେ ୩ଜଣ ଯୁବକ ତାଙ୍କୁ ଅଟକାଇଥିଲେ ଏବଂ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ମାଡ଼ପିଟ ଯୋଗୁଁ ଯୁବକ ବେହୋସ୍ ହୋଇଯାଇଥିଲେ।

ଅଭିଯୁକ୍ତମାନେ ତାଙ୍କ ପ୍ରେମିକାଙ୍କୁ ଉଠାଇ ନେଇଯାଇଥିଲେ। ପ୍ରଥମେ ତାଙ୍କୁ ଉଦୟପୁର ବସ ଷ୍ଟାଣ୍ଡ ସମ୍ମୁଖରେ ଥିବା ଶୁନଶାନ ସ୍ଥାନକୁ ନେଇ ଯାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେଠାରୁ ପୁଣି ତାଙ୍କୁ ନେଇଯାଇ ନିଚଲା ଘଣ୍ଟାଲା ନେଇଯାଇଥିଲେ। ସେଠାରେ ୩ଜଣ ଅଭିଯୁକ୍ତ ତାଙ୍କ ଅନ୍ୟ ଦୁଇ ଜଣ ବନ୍ଧୁଙ୍କୁ ଡକାଇଥିଲେ। ଅଭିଯୁକ୍ତମାନେ ମଦ ପିଇ ପୀଡ଼ିତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସକାଳ ହେବା ପୂର୍ବରୁ ଅଭିଯୁକ୍ତ ବିକାଶ,ବିଜୟ ଏବଂ ଜିତେନ୍ଦ୍ର ପୀଡ଼ିତାଙ୍କୁ ତାଙ୍କ ଗାଁ ଛାଡ଼ି ଆସିଥିଲେ। ୫ଜଣ ଅଭିଯୁକ୍ତ ପୋଲିସ ନିକଟରେ ମାନିଥିଲେ ଯେ ସେମାନେ ପୀଡ଼ିତାଙ୍କୁ ଗୋଟିଏ ରାତିରେ ୧୧ଥର ଦୁଷ୍କର୍ମ କରିଥିଲେ।

ପୀଡ଼ିତାଙ୍କ ପ୍ରେମିକଙ୍କୁ ଯେତେବେଳେ ହୋସ୍ ଆସିଥିଲା ସେତେବେଳେ ବଦନାମ ହୋଇଯିବା ଭୟରେ ଏବଂ ସମାଜରେ ଦଣ୍ଡ ପାଇବା ଡରରେ ସେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଭୟଭୀତ ପୀଡ଼ିତା ମଧ୍ୟ ଘଟଣା ସମ୍ପର୍କରେ କାହାକୁ ଜଣାଇନଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କ ଚିକିତ୍ସା ପ୍ରଥମେ ବାଂସଓ୍ବାଡ଼ାରେ କରାଇଥିଲେ। ତା’ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଉଦୟପୁର ହସ୍ପିଟାଲ ନେଇଯାଇଥିଲେ।

ପୋଲିସ୍ ଆତ୍ମହତ୍ୟା କରିଥିବା ପ୍ରେମିକର ମୋବାଇଲର କଲ ଡିଟେଲ ଆଧାରରେ ପୀଡ଼ିତା ବିଷୟରେ ଜାଣି ପାରିଥିଲା। ପ୍ରାଥମିକ ତଦନ୍ତରେ ପୀଡ଼ିତା ୩ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ତାଙ୍କ ଅବସ୍ଥା ଏତେ ଶେଚନୀୟ ଥିଲା ଯେ ବେଶୀ କିଛି ସୂଚନା ଦେଇପାରିନଥିଲେ। ପୀଡ଼ିତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ୍ ବାଂସଓ୍ବାଡ଼ା ଜିଲ୍ଲାର ନିଚଲା ଘଣ୍ଟାଲା ବାସିନ୍ଦା ସୁନୀଲ ଚରପୋଟା,ତା’ର ସାଙ୍ଗ ବିକାସ,ନରେଶ ଗୁର୍ଜର,ବିଜୟ ଏବଂ ଜିତେନ୍ଦ୍ର ଚରପୋଟାକୁ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଦୁଷ୍କର୍ମ ବ୍ୟତୀତ ଅପହରଣ,ମରଣାନ୍ତକ ଆକ୍ରମଣ ଏବଂ ପ୍ରେମିକଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.