ପ୍ରାକ୍ଟିକାଲ ପରୀକ୍ଷାରେ ମାର୍କ କରାଇଦେବା ପାଇଁ ଆଇଟିଆଇ ଛାତ୍ରୀଙ୍କୁ ଯୌନ ଶୋଷଣ, ଛାତ୍ରୀମାନେ ଫେରାଦ ହେଲେ ଜିଲ୍ଲାପାଳଙ୍କ ନିକଟରେ…
11/08/2019 at 2:17 PM

ଶାହଜାହାନପୁର୧୧|୮: ପରୀକ୍ଷାରେ ପାସ କରାଇଦେବା ପାଇଁ ଆଇଟିଆଇ ଛାତ୍ରୀଙ୍କୁ କରାଯାଉଥିଲା ଯୌନ ଶୋଷଣ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାତ୍ରୀମାନେ ଆଣିଛନ୍ତି ସଂଗୀନ ଅଭିଯୋଗ। ପରୀକ୍ଷା ନିମନ୍ତେ ଛାତ୍ରଙ୍କୁ ମୋଟା ଅଙ୍କର ଟଙ୍କା ମାଗୁଥିଲେ ଆଇଟିଆଇ କଲେଜର କର୍ମଚାରୀ। କେବଳ ସେତିକି ନୁହେଁ, କଲେଜ କର୍ମଚାରୀମାନେ ଶାରୀରିକ ଶୋଷଣ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରୀମାନେ। ଛାତ୍ରୀମାନେ ଉତ୍ତର ପ୍ରଦେଶର ସାହାଜାହନପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।ଏହି ସମସ୍ତ ଘଟଣାକୁ ତର୍ଜମା କରିବା ପରେ ଜିଲ୍ଲାପାଳ ଇନ୍ଦ୍ର ବିକ୍ରମ ସିଂହ ଘଟଣାର ତଦନ୍ତ ଭାର ସିଟି ମାଜିଷ୍ଟ୍ରେଟ୍ ବନିତା ସିଂହଙ୍କୁ ପ୍ରଦାନ କରିଛନ୍ତି ।
ଆଇଟିଆଇ ଛାତ୍ରୀଙ୍କ କହିବାନୁଯାୟୀ, ସାହାଜହାନପୁରର ରୋଜଠାରେ ଥିବା ଆଇଟିଆଇ କଲେଜର କର୍ମଚାରୀମାନେ ସେମାନଙ୍କୁ ଶାରୀରିକ ଶୋଷଣ କରୁଥିଲେ ।ପରୀକ୍ଷା ବାହାନ ଦେଖାଇ ତାଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।ପ୍ରାକ୍ଟିକାଲ ମାର୍କ କରାଇଦେବା ପାଇଁ ଛାତ୍ରଙ୍କୁ ଉତ୍କୋଚ ଦାବୀ କରାଯାଉଛି । ଏଥିସହ ଶାରିରୀକ ସମ୍ପର୍କ ରଖିବା ପାଇଁ ମଧ୍ୟ କିଛି କର୍ମଚାରୀ ବାଧ୍ୟ କରୁଛନ୍ତି । ତେବେ ଆଇଟିଆଇ ଛାତ୍ରୀମାନେ କଲେଜରେ କୌଣସି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନାଁ ନେଇ ନାହାନ୍ତି।କଲେଜର ସବୁ କର୍ମଚାରୀଙ୍କ ମିଲିଭଗତରେ ଏହିସବୁ ଚାଲିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଏହି ସବୁ ଘଟଣା ସମ୍ପର୍କରେ ଛାତ୍ରୀମାନେ ଆଇଟିଆଇ କଲେଜର ପ୍ରିନ୍ସପାଲ ପାଖରେ କହିଥିଲେ। ହେଲେ କଲେଜ ପ୍ରିନ୍ସପାଲ ରାମ ପ୍ରକାଶ କଲେଜ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ବାରମ୍ବାର କଲେଜ ପ୍ରିନ୍ସପାଲ ପାଖରେ ଗୁହାରି କରିବା ପରେ ନିରାଶ ହୋଇ ଶେଷରେ ଛାତ୍ରୀମାନେ ଶନିବାରଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଇନ୍ଦ୍ର ବିକ୍ରମ ସିଂହଙ୍କୁ ଦେଖା କରିଥିଲେ ।
ଘଟମାର ତଦନ୍ତା ଦାୟିତ୍ବ ନ୍ୟସ୍ତ ହେବାପରେ ମାଜିଷ୍ଟ୍ରେଟ୍ ବନିତା ସିଂହ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଘଟଣା ସୋସାଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ବୈଦ୍ୟୁତିକ ଗଣାମଧ୍ୟମରେ ମଧ୍ୟ ଛାତ୍ରୀଙ୍କ ଅଭିଯୋଗ ପ୍ରସାରିତ ହୋଇଛି ।