ସାମ୍ନାକୁ ଆସିଲା ଉହାନ ଲ୍ୟାବରେ ଭଙ୍ଗା ସିଲ୍ର ଫଟୋ, ବଢିବ ଚୀନର ମୁସ୍କିଲ ?
19/04/2020 at 6:21 PM

ନୂଆଦିଲ୍ଲୀ ୧୯।୦୪: କଣ କରୋନା ଭାଇରସ୍ ଉହାନ ଲ୍ୟାବରୁ ବାହାରିଥିଲା, ସଂପ୍ରତି ଏହି ପ୍ରଶ୍ନ ଚୀନର ପିଛା ଛାଡୁନାହିଁ। ଗୋଟିଏ ପଟେ ଚୀନ ପୂର୍ବରୁ ଅନ୍ୟ ଦେଶର ପ୍ରଶ୍ନରେ ଘାଇଲା ହୋଇ ସାରିଛି ଯେ, ଭାଇରସ୍ କେମିତି ବ୍ୟାପିଲା, କଣ ପାଇଁ ଏହାକୁ ରୋକାଗଲା ନାହିଁ ? ଅନ୍ୟପଟେ ଉହାନ ଲ୍ୟାବରୁ ଏକ ପୁରୁଣା ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଭାଇରସ୍ ରଖାଯାଉଥିବା ଫ୍ରିଜ୍ର ସିଲ୍ ଭାଙ୍ଗି ଯାଇଥିବା ଦେଖିେବାକୁ ମିଳିଛି। କୁହାଯାଉଛି ଯେ, ଉହାନର ଏହି ଲ୍ୟାବ୍ରେ ସେଫ୍ଟୀ ଓ ସିକ୍ୟୁରିଟି ବହୁତ କଡାକଡି ମାତ୍ର ସାମ୍ନାକୁ ଆସିଥିବା ଫଟୋରେ କାହାଣୀ ଆଉ କିଛି ଦର୍ଶାଉଛି।
ଇଂରାଜୀ ଖବର କାଗଜ ଡେଲି ମେଲ୍ ଅନୁଯାୟୀ ଏହି ଫଟୋ ପ୍ରଥମ ଥର ଚାଇନା ଡେଲି ଖବର କାଗଜରେ ୨୦୧୮ରେ ପ୍ରକାଶିତ ହୋଇଥିଲା। ଏହି ଫଟୋ ଗତ ମାସରେ ମଧ୍ୟ ଟୁଇଟ୍ରରେ ପୋଷ୍ଟ କରାଯାଇଥିଲା, ମାତ୍ର ତୁରନ୍ତ ଡିଲିଟ୍ କରାଯାଇଥିଲା। ଟୁଇଟରରେ ପୋଷ୍ଟ ହେବା ସହିତ ଏବେ ସଭିଙ୍କ ମନରେ ପ୍ରଶ୍ନ ଉଠିଛି ଯେ, କଣ ଉହାନର ଏହି ଲ୍ୟାବ୍ରୁ ଭାଙ୍ଗି ଥିବା ଫ୍ରିଜରୁ କରୋନା ଭାଇରସ୍ ବାହାରିଛି।

ଫଟୋରେ ଭଙ୍ଗା ସିଲ୍ ଦେଖି ଏବେ ଲୋକ ପ୍ରଶ୍ନ କରିଛନ୍ତି। ଜଣେ ଲେଖିଛନ୍ତି ଯେ, ମୁଁ ଏଥିରୁ ଭଲ ସିଲ୍ ତ ମୋ ରୋଷେଇ ଘରେ ଥିବା ଫ୍ରିଜରେ ଦେଖିଛି। ଉଲ୍ଲେଖଯୋଗ୍ୟ, ଏହି ଲ୍ୟାବ୍ ଦୁନିଆର ସେହି ବଛା ବଛା ଲ୍ୟାବ୍ ମଧ୍ୟରୁ ଗୋଟିଏ ଯାହାକୁ କ୍ଲାସ ୪ ପ୍ୟାଥୋଜେନ୍ସ ଅର୍ଥାତ ପି ୪ ସ୍ତରର ଭାଇରସ୍ର ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏହି ମାରାତ୍ମକ ଭାଇରସ୍ ମଣିଷଠୁ ମଣିଷକୁ ବ୍ୟାପିବାର ବିପଦ ରହିଥାଏ।

ଏବେ ଫଟୋ ଚୀନର ଅଡୁଆକୁ ଆହୁରି ବଢାଇପାରେ। କରୋନା ଭାଇରସ୍ ନେଇ ପୂର୍ବରୁ ଆମେରିକା ଚୀନ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି। ଚୀନ କରୋନା ଭାଇରସ୍ର ବାସ୍ତବ ତଥ୍ୟ ଲୁଚାଇଥିବା ଆମେରିକା ଅଭିଯୋଗ କରି ଆସିଛି। ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟ ଏହାର ଯାଞ୍ଚ ଦାବି କରିଛନ୍ତି। ବ୍ରିଟେନ୍ କହିଛି ଯେ, ଚୀନକୁ ଏହି ପ୍ରଶ୍ନର ଉତ୍ତର ଦେବା ଦରକାର ଯେ କରୋନା ଭାଇରସ୍ ବ୍ୟାପିଲା କେମିତି ? ଏବେ ଅଷ୍ଟ୍ରେଲିଆ ମଧ୍ୟ ଏହି ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ତଦନ୍ତ ଦାବି କରିଛି।