କାମ କରୁଛୁ, ମାଲ୍ ପିଉଛୁ : ପୋଲିସ ବାବୁଙ୍କ ପାଇଁ ନାହିଁ କୋଭିଡ଼ କଟକଣା , ଆସର ଫଟୋ ଭାଇରାଲ୍

Published By : Prameya-News7 Bureau | May 05, 2021 IST

ଜଗତସିଂହପୁର ୦୫।୦୫: ପୋଲିସ ବାବୁଙ୍କ ମଦର ଆସର । ପୁଣି ପାଖରେ ଅଛି ଖାଇବା ଥାଳି । ଏକାସାଙ୍ଗେ ୩ ଜଣ ବସି ବିୟର ପିଉଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଜଗତସିଂହପୁର ଦେଭୋଗ ଅଞ୍ଚଳରୁ ଆସିଛି ଏମିତି କିଛି ଚିତ୍ର। ଗ୍ରାମବାସୀ ପୁଲିସ ବାବୁଙ୍କ ମଦର ଆସରକୁ ନିନ୍ଦା କରିବା ସହ ଆଗକୁ ପ୍ରକଳ୍ପ ବିରୋଧରେ ଜନ ଆନ୍ଦୋଳନକୁ ତୀବ୍ର କରିବାକୁ ସଜବାଜ ହେଉଥିବା ଖବର ମିଳିଛି ।

ଖବର ଅନୁଯାୟୀ, ଦେଭୋଗରେ ମଳ ପ୍ରକ୍ରିୟାକରଣ କେନ୍ଦ୍ର ନିର୍ମାଣ କାମ ଆରମ୍ଭ ହୋଇଛି । ଜଗତସିଂହପୁର ପୌର ପ୍ରଶାସନ ଅଧୀନରେ ପ୍ରକଳ୍ପକୁ ଆଗେଇ ନେଉଛନ୍ତି କାର୍ଯ୍ୟାଦେଶ ପାଇଥିବା ଠିକାଦାର । ଉକ୍ତ ପ୍ରକଳ୍ପକୁ ସ୍ଥାନୀୟ ଅଞ୍ଚଳବାସୀ ଜୋର୍‌ଦାର ବିରୋଧ କରିଛନ୍ତି । ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷମାନେ ସଂଘବଦ୍ଧ ଭାବେ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ । ଯାହାଫଳରେ କାର୍ଯ୍ୟକୁ ବନ୍ଦ କରିଯାଇଥିଲା । ଏହାପରେ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଓ ଜେସିବି ମେସିନକୁ କାର୍ଯ୍ୟସ୍ଥଳରୁ ହଟାଇଯାଇଥିଲା । ଏହାପରେ ପୌର ସଂସ୍ଥା କାମ ପୂରଣ ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ କରିଥିଲେ ।

ତେବେ ପ୍ରଥମରୁ ମୁଣ୍ଡରେ ଚାଳ ବାଜିବା ପରିସ୍ଥିତି ଉପୁଜିଲାଣି । ମୁତୟନ ଥିବା ପୁଲିସ ସେଠାରେ ବିଅର୍‌ ମାଡ଼ କରୁଥିବାର ଫଟୋ ଏବେ ଭାଇରାଲ୍‌ ହୋଇଛି । ବଢା ହୋଇଥିବା ଖାଇବା ଥାଳି ପାଖରେ ରଖି ବିଅର୍‌ ବୋତଲ ରଖି ତିନି ଜଣ ଲୋକ ବସିଥିବାର ଫଟୋ ଭାଇରାଲ୍‌ ହୋଇଛି । ଏଥିରେ ଜଣେ ଲୋକ ପୁଲିସ ପୋଷାକରେ ରହିଥିବା ବେଳେ ଅନ୍ୟ ଦୁଇ ଜଣ ସାଦା ପୋଷାକରେ ରହିଛନ୍ତି । ସେ ଦୃଷ୍ଟିରୁ ସାଦା ପୋଷାକରେ ଥିବା ଦୁଇ ଯୁବକ ପୁଲିସ କର୍ମଚାରୀ କି ନୁହଁନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ ।

ତେବେ ମିଳିଥିବା ସୂଚନା ମୁତାବିକ, ଏମାନେ ଲକ୍‌ ଥାନା ଅଧୀନରେ କାର୍ଯ୍ୟ କରୁଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖାଯାଇ ପାରାଦୀପ ଲକ୍‌ ଥାନାରୁ ଏହି ପୁଲିସ ଫୋର୍ସଙ୍କୁ ଦେଭୋଗକୁ ସ୍ଥାନାନ୍ତରିତ କରାଯାଇଛି । ଅଥଚ ଏମାନେ କାର୍ଯ୍ୟରେ ରହି ବିଅର ବୋତଲ ଧରି ବସିବା ଏବେ ଚର୍ଚ୍ଚାକୁ ଆସିଛି । ଗ୍ରାମବାସୀ ପୁଲିସ ବାବୁଙ୍କ ମଦର ଆସରକୁ ନିନ୍ଦା କରିବା ସହ ଆଗକୁ ପ୍ରକଳ୍ପ ବିରୋଧରେ ଜନ ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.