Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଂସଦ ବାବୁଲ ସୁପ୍ରିଓଙ୍କୁ ମାଡମାରି ଚଷମା ଭାଙ୍ଗିଥିବା ଛାତ୍ରଙ୍କ ଫଟୋ ଆସିଲା ସାମ୍ନାକୁ

20/09/2019 at 3:50 PM

କୋଲକାତା: କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ଆସାନସୋଲର ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କ ପ୍ରତି ଯାଦବପୁର ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ଅତ୍ୟନ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଗୁରୁବାର ବିଶ୍ୱବିଦ୍ୟାଳୟରେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି  କେନ୍ଦ୍ରମନ୍ତ୍ରୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ମାତ୍ରେ ବାମ ସମର୍ଥିତଛାତ୍ର ସଙ୍ଗଠନ ତାଙ୍କୁ ବିରୋଧ କରିଥିଲା। ଛାତ୍ରମାନେ ତାଙ୍କୁ ଅଟକାଇ ଭିଡାଘୋଷଡା କରିବା ସହ ମାଡମାରି ଚଷମା ଭାଙ୍ଗିଦେଇଥିବା ବାବୁଲ ସୁପ୍ରିଓ କହିଛନ୍ତି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏଭଳି କାଣ୍ଡ କରିଥିବା ଛାତ୍ରମାନଙ୍କ ଫଟୋ ଏବେ ସାମ୍ନାକୁ ଆସିଛି।

ଷ୍ଟୁଡେଣ୍ଟସ୍ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ) ଓ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ (ଏଆଇଏସଏ)ର ଛାତ୍ରମାନେ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କୁ ବିରୋଧ କରିଥିଲେ। ଛାତ୍ରମାନେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ ଗାଡିରୁ ଘୋଷାଡି ନେଇ ଧସ୍ତାଧସ୍ତି କରିଥିଲେ। ଫଳରେ ବାବୁଲ ସୁପ୍ରିଓ ତଳେପଡିଯାଇଥିବା ବେଳେ ଛାତ୍ରମାନେ ତାଙ୍କ ସାର୍ଟ ଚିରିଦେଇଥିଲେ।

କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସରୁ ବାହାରିଯିବାକୁ ଉଦ୍ୟମ କରିବାରୁ ଛାତ୍ରମାନେ ତାଙ୍କୁ ନାଲି ଓ କଳାପତାକା ପ୍ରଦର୍ଶନ କରିବା ସହ ଫାଟକ ଅବରୋଧ କରିଦେଇଥିଲେ। ଫଳରେ ସେ ଆଉ ବାହାରକୁ ବାହାରି ପାରିନଥିଲେ । ଗୋଟିଏପଟେ ଛାତ୍ରମାନେ କ୍ୟାମ୍ପସର ଫାଟକ ଅବରୋଧ କରି ରଖିଥିବା ବେଳେ ଅନ୍ୟପଟେ ତାଙ୍କ ସହ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ରମ ପରିବେଷଣ ଲାଗି ଆସିଥିବା କଳାକାର ଅଗ୍ନିମିତ୍ର ପାଲଙ୍କ ପ୍ରତି ଅସଦାଚରଣ କରିଥିଲେ। ଏଥିରେ ଦୀର୍ଘସମୟ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସରେ ଅଟକ ରହିଥିଲେ। ଛାତ୍ରଙ୍କ ବିକ୍ଷୋଭ କ୍ରମଶଃ ଉଗ୍ର ହେବାରୁ ସହାୟତା ଲାଗି କେନ୍ଦ୍ରୀୟ ଅର୍ଦ୍ଧସୁରକ୍ଷା ବଳଙ୍କୁ ଡକାଯାଇଥିଲା। ହେଲେ ଛାତ୍ରଙ୍କ ଭିଡ ଠେଲି ଆସିବାକୁ ଜବାନ ସକ୍ଷମ ହୋଇନଥିଲେ।  ଏଣୁ ବିଶ୍ୱବିଦ୍ୟାଳୟର କୁଳପତି ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତି ଆୟତ କରିବାକୁ ଉଦ୍ୟମ କରିବାରୁ ଛାତ୍ରମାନେ ତାଙ୍କପ୍ରତି ମଧ୍ୟ ଅଶାଳୀନ ବ୍ୟବହାର କରିଥିଲେ।

ପରେ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳ ଜଗଦୀପ ଧନଖଡ ପହଞ୍ଚିଥିଲେ। ଦୀର୍ଘ ୨ ଘଣ୍ଟା ଧରି କ୍ୟାମ୍ପସରେ ଫଶିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ସୁରକ୍ଷିତ ଉଦ୍ଧାର କରିବା ସହ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ରାଜ୍ୟପାଳ ମମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ ମଳୟ ଦେଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ସେ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଇଥିଲେ। 

   Related Posts