ତକିଆ ତଳେ ଫୋନ୍‌ ରଖି ଶୋଇଥିଲେ, ଅଚାନକ ଲାଗିଗଲା ନିଆଁ: ଜଳିଗଲା ବ୍ୟକ୍ତିଙ୍କ କାନ୍ଧ

Published By : Prameya-News7 Bureau | November 03, 2020 IST

ନୂଆଦିଲ୍ଲୀ ୦୩/୧୧: ବିଭିନ୍ନ ସମୟରେ ମୋବାଇଲ୍‌ ଫୋନ୍‌ ଫାଟି ଧନଜୀବନ ନଷ୍ଟ ହେଉଥିବା ଖବର ଶୁଣିବାକୁ ମିଳେ। ଚାର୍ଜ ହେଉଥିବା ବେଳେ ଅତ୍ୟଧିକ ତାପମାତ୍ରା ଯୋଗୁ ବେ​‌ଳେ ବେଳେ ମୋବାଇଲ୍‌ ଫାଟିଯିବାର ଶୁଣିଥିବେ। କିନ୍ତୁ ଚାର୍ଜରେ ନଥିବା ବେଳେ ବି ଫାଟୁଛି ମୋବାଇଲ୍‌ ଫୋନ୍‌। ଏଭଳି ଏକ ଦୁର୍ଘଟଣା ଘଟିଛି କେରଳର କୋଲାମ ଜିଲ୍ଲା​‌ରେ।

କୋଲାମ ଜିଲ୍ଲାର ଓଚିରାରେ ରୁହନ୍ତି ୫୩ ବର୍ଷୀୟ ଅଟୋ ଡ୍ରାଇଭର ଚନ୍ଦ୍ର ବାବୁ। ସୋମବାର ଦିନ ଦୂରସ୍ଥାନକୁ ଯାତ୍ରା କରିଥିବା ହେତୁ ଚନ୍ଦ୍ର ବାବୁ ନିଜର ନୋକିଆ ହ୍ୟାଣ୍ଡସେଟ୍‌କୁ ତକିଆ ତଳେ ରଖି ଶୋଇପଡ଼ିଥିଲେ। କିନ୍ତୁ ଅଳ୍ପ ସମୟ ଶୋଇବା ପରେ ଉଠିପଡ଼ିଥିଲେ ଚନ୍ଦ୍ର ବାବୁ। କିନ୍ତୁ ଉଠିବା ପରେ ସେ ଅନୁଭବ କଲେ ତାଙ୍କ ବାମ ହାତର କହୁଣୀ ଓ କାନ୍ଧରେ ଜ୍ବଳନ ହେଉଛି। ନିଦୁଆ ଆଖିରେ ହଠାତ ସେ ଦେଖିବାକୁ ପାଇଲେ ଯେ ତକିଆ ତଳୁ ଧୂଆଁ ବାହାରୁଛି। ଦେଖିଲା ବେଳକୁ ଫୋନ୍‌ଟି ଅଧା ଜଳିଯାଇଛି।

ଟିଏନଏମକୁ ପ୍ରତିକ୍ରିୟା ଦେଇ ଚନ୍ଦ୍ର ବାବୁ କହିଛନ୍ତି ଜଳି ଯାଇଥିବା ଫୋନ୍‌କୁ ଦେଖିବା ପରେ ଜଣାପଡ଼ିଲା ଯେ ଫୋନ୍‌ର ଡାହାଣ ପାର୍ଶ୍ବ ଜଳିଯାଇଛି। ଫୋନ୍‌ରୁ ଧୂଆଁ ବାହାରୁଥିବା ଦେଖିବା ପରେ ଚନ୍ଦ୍ର ବାବୁ ଫୋନ୍‌କୁ ତଳକୁ ଫୋପାଡ଼ି ଦେଇଥିଲେ। ଶୋଇବା ବେଳେ ସେ ଶାର୍ଟ ପିନ୍ଧି ନଥିବା ଯୋଗୁ ତାଙ୍କର ବାମ ହାତର କହୁଣୀ ଓ କାନ୍ଧ ଜଳିଯାଇଥିଲା। ତେଣୁ ସେ ସଙ୍ଗେସଙ୍ଗେ ପାଖରେ ଥିବା ଏକ ଡାକ୍ତରଖାନାକୁ ଯାଇ ନିଜର ଚିକିତ୍ସା କରାଇଥିଲେ ବୋଲି କହିଛନ୍ତି ଚନ୍ଦ୍ର ବାବୁ।

ଚାର୍ଜରେ ବସାଇନଥିଲେ କିନ୍ତୁ ଓଭରହିଟିଂ ଯୋଗୁ ବ୍ୟାଟେରି ଫୁଲିଯିବା କାରଣରୁ ଫୋନ୍‌ ଫାଟିଛି ବୋଲି ଅନୁମାନ କରିଛନ୍ତି ଚନ୍ଦ୍ର ବାବୁ। ସେ ଯାହା ହେଉ ମୋବାଇଲ ଫୋନ୍‌ କେବେ ବି ତକିଆ ତଳେ ରଖି ନଶୋଇବାକୁ ପରାମର୍ଶ ଦେଇଛନ୍ତି ଚନ୍ଦ୍ର ବାବୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.