କରୋନା ମଝିରେ ବ୍ୟାପିଲା ଆଉ ଏକ ମାରାତ୍ମକ ଭୂତାଣୁ, ଚିନ୍ତାରେ ଏହି ଦେଶ
17/03/2020 at 7:33 PM

ମାନିଲା ୧୭।୦୩: ମାରାତ୍ମକ କରୋନା ଭୂତାଣୁ ସଂପ୍ରତି ପୂରା ଦୁନିଆକୁ କବଳିତ କରି ସାରିଛି। ଏହି ଭୂତାଣୁରେ ଅଦ୍ୟାବଧି ୭ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଫିଲିପାଇନ୍ସ ମଧ୍ୟ ଏଥିରୁ ବର୍ତ୍ତି ନାହିଁ। କରୋନ ଭୂତାଣୁ କାରଣରୁ ଏହି ଦେଶରେ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ଫିଲିପାଇନ୍ସ ପାଇଁ ଉତ୍ତର ପ୍ରାନ୍ତରେ ବ୍ୟାପୁଥିବା ଆଉ ଏକ ଭୂତାଣୁ ଚିନ୍ତାର କାରଣ ପାଲଟିଛି।

ଫିଲିପାଇନ୍ସର ଉତ୍ତରୀ ପ୍ରାନ୍ତରେ କରୋନା ପରେ ବାର୍ଡ ଫ୍ଲୁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି, ଯାହା ସେଠାକାର ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ଫ୍ଲୁର ଭୂତାଣୁ ବଟେର ନାମକ ଏକ ପକ୍ଷୀରୁ ବ୍ୟାପିଛି, ଯାହା ଲୋକଙ୍କୁ ମଧ୍ୟ କବଳିତ କରିବାରେ ଲାଗିଛି।
ଫିଲିପାଇନ୍ସର କୃଷି ମନ୍ତ୍ରୀ ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ଏହା ବହୁତ ସଂକ୍ରାମକ ଭୂତାଣୁ ଅଟେ ଏବଂ ଇନଫୁଏଞ୍ଜା ଏ ଭୂତାଣୁ ଶ୍ରେଣୀର ଅଟେ। ଏହି ଭୂତାଣୁର ପ୍ରଥମ ସ୍ଥିତି ସର୍ବ ପ୍ରଥମେ ବଟେର ନାମକ ଏକ ଫାର୍ମରୁ ମିଳିଛି। ମଣିଷ ପାଇଁ ଏହା ଜୀବନନାଶକାରୀ ମଧ୍ୟ ହୋଇଥାଏ।

ଏହି ନୂତନ ସମସ୍ୟାକୁ ନେଇ ଫିଲିପାଇନ୍ସର କୃଷି ସଚିବ ଓ୍ଵିଲିୟମ ଡାର କହିଛନ୍ତି ଏହି ଅଞ୍ଚଳରେ ୨୦୧୭ରେ ମଧ୍ୟ ବାର୍ଡ ଫ୍ଲୁ ବ୍ୟାପିଥିଲା ଓ ଏହି ସମୟରେ ମଧ୍ୟ ଏକ ବଟେର ଫାର୍ମ ଜରିଆରେ ବ୍ୟାପିବା ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ ଏହି ଇଲାକାରୁ କୌଣସି ପକ୍ଷୀର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୧୨ ହଜାରରୁ ଅଧିକ ସଂକ୍ରମିତ କୁକୁଡାକୁ ମାରି ସୁରକ୍ଷିତ ଜାଗାରେ ଏହାକୁ ନଷ୍ଟ କରାଯାଇଛି।