ବଢି ଚାଲିଛି ପି ଫାଇଜରର ସାଇଡ୍ ଇଫେକ୍ଟ ମାମଲା, ଟିକାକୁ ନେଇ ସାରା ଦୁନିଆରେ ଉଠିଲା ପ୍ରଶ୍ନ

Published By : Prameya-News7 Bureau | January 16, 2021 IST

ଅସ୍ଲୋ ୧୬।୦୧: ସମଗ୍ର ଦୁନିଆରେ ଯେମିତି ଯେମିତି କରୋନା ଟିକାକରଣ ଅଭିଯାନ ଜୋରସୋରରେ ଆରମ୍ଭ ହୋଇ ଚାଲିଛି, ଆମେରିକା କମ୍ପାନୀ ଫାଇଜର ଟିକାର କୁପ୍ରଭାବ ମାମଲା ବଢିବାରେ ଲାଗିଛି। ଫାଇଜରର କରୋନା ଭ୍ୟାକସିନ ନେବା ପରେ ନରଓ୍ଵେରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ ଜଣଙ୍କ ଶରୀରରେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ୟୁରୋପୀୟ ଦେଶ ଫିନଲାଣ୍ଡ ମଧ୍ୟ ଘୋଷଣା କରିଛି ଯେ ଏହି ଭ୍ୟାକସିନରେ ୩୨ ଜଣଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ହେଲେ ଏହା ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନାହିଁ  ଯେ ନରଓ୍ଵେରେ ଘଟିଥିବା ଏତେ ଲୋକଙ୍କ ମୃତ୍ୟୁର ସମ୍ଵନ୍ଧ ଭ୍ୟାକସିନ  ସହ ରହିଛି।

ନରଓ୍ଵେ କହିଛି ଫାଇଜର ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ ୧୦୦ ଲୋକଙ୍କ ଶରୀରରେ ପି ଫାଇଜର ଭ୍ୟାକସିନର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନରଓ୍ଵେର ସ୍ଵାସ୍ଥ୍ୟ ଅଧିକାରୀ କହିଛନ୍ତି ଏହି ଲୋକଙ୍କ ଆଖି ଫୁଲିଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ତୁରନ୍ତ ଔଷଧ ଦିଆଯାଇଛି। କିଛି ଲୋକଙ୍କ ମୁଣ୍ଡ ବ୍ୟଥା, ଥକାପଣ ଓ ଇଞ୍ଜେକ୍ସନ ଲାଗିଥିବା ଜାଗାରେ ଭୀଷଣ ଯନ୍ତ୍ରଣାର ଲକ୍ଷଣ ଦେଖିବାକୁ ମିଳିଛି। ନେଦରଲାଣ୍ଡରେ ମଧ୍ୟ ଲୋକଙ୍କ ଶରୀରରେ ପି ଫାଇଜର ଭ୍ୟାକସିନର  ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି।

ଏହା ମଧ୍ୟରେ ପଡୋଶୀ ଦେଶ ଫିନଲ୍ୟାଣ୍ଡ କହିଛି ତାଙ୍କ ଦେଶରେ ୩୨ ଜଣଙ୍କଠାରେ ଫାଇଜର ଭ୍ୟାକସିନର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଲୋକଙ୍କଠାରେ ଆଲର୍ଜି ରିଆକ୍ସନ, ଗଣ୍ଠି ବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ଥକାପଣ୍ଡ, ମୁଣ୍ଡ ବ୍ୟଥା  ଓ ଥଣ୍ଡା ହେବାର ଲକ୍ଷଣ ଦେଖିବାକୁ ମିଳିଛି। ମାତ୍ର କାହାର ମୃତ୍ୟୁ ହେବାର ସୂଚନା ନାହିଁ। ବେଲଜିୟମର କହିବା କଥା ଫାଇଜର ଭ୍ୟାକସିନ୍ ଲାଗିବାର ୫ ଦିନ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ କହିଛି ଯେ ହଜାରେ ଲୋକଙ୍କ ଶରୀରରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.