କରୋନା ବଟିକା ପ୍ରସ୍ତୁତ କଲା ଫାଇଜର, ୮୯ ପ୍ରତିଶତ କମିଯିବ କୋଭିଡ୍-୧୯ର ବିପଦ !

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୦୫।୧୧: କରୋନା ଟିକାର ଆବିଷ୍କାର ପରେ ଏବେ ବୈଜ୍ଞାନିକ କରୋନା ନିରୋଧୀ ବଟିକା ଆବିଷ୍କାରରେ ଲାଗି ପଡିଛନ୍ତି। ଆଉ କେତେକାଂଶରେ ବୈଜ୍ଞାନିକ ସଫଳ ମଧ୍ୟ ହେଲେଣି। ଏହି କ୍ରମରେ ଆମେରିକା ଫାର୍ମା କମ୍ପାନୀ ଫାଇଜର କୋଭିଡ୍-୧୯ ନିରୋଧୀ ଆଣ୍ଟିଭାଇରାଲ୍ ବଟିକା ପ୍ରସ୍ତୁତ କରିଛି। ଆଉ ଦାବି କରିଛି ଯେ, ଏହି  ବଟିକା ଜରିଆରେ ମୃତ୍ୟୁ କିମ୍ବା ଗୁରୁତର ଅବସ୍ଥାରେ  ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ସମ୍ଭାବନା ୮୯ ପ୍ରତିଶତ କମିଯିବ। ଏହା ପୂର୍ବରୁ ବ୍ରିଟେନ୍‌ ସରକାର ନିଜ ଦେଶର କମ୍ପାନୀ ମର୍କ ଦ୍ଵାରା ପ୍ରସ୍ତୁତ କରୋନା ବଟିକାକୁ ଜରୁରୀକାଳୀନ ମଞ୍ଜୁରୀ ଦେଇଛନ୍ତି।

ଆମେରିକା ସମେତ ସମଗ୍ର ଦୁନିଆରେ ଏବେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଅଧିକାଂଶ ଇଞ୍ଜେକ୍ସନ କିମ୍ବା ଟିକାର ବ୍ୟବହାର କରାଯାଉଛି। ହେଲେ ଏବେ ବଟିକା ଜରିଆରେ ଆଉ ଏକ ଅସ୍ତ୍ର ମିଳି ଯାଇଛି। ନିକଟରେ ଫାଇଜରର ପ୍ରତିଯୋଗୀ କମ୍ପାନୀ ମର୍କ କୋଭିଡ୍-୧୯ ବଟିକା ପ୍ରସ୍ତୁତ କରିଛି। ହେଲେ ଫାଇଜର ମର୍କର ବଟିକା ମୋଲନୁପିରାଭିର ତୂଳନାରେ ନିଜ ବଟିକା ଅଧିକ ପ୍ରଭାବଶାଳୀ ବୋଲି ଦାବି କରିଛି। ଫାଇଜର କହିଛି, ସେ  ନିଜ ବଟିକାର ଅନ୍ତରୀଣ ପରୀକ୍ଷାର ଫଳାଫଳ ଶୀଘ୍ର ସାର୍ବଜନୀନ କରିବ ବୋଲି ଯୋଜନା କରିଛି।

ଫାଇଜରର ଏହି ଦାବି ପରେ ଆମେରିକା ସେୟାର ବଜାରରେ ନିଜ ସେୟାରର ଦାମ ୧୩ ପ୍ରତିଶତ ବୃଦ୍ଧି ଘଟି ୪୯.୪୭ ଡଲାରରେ ପହଞ୍ଚିଛି। ଅନ୍ୟପଟେ ମର୍କର ସେୟାର ୬ ପ୍ରତିଶତ ଖସି ୮୪.୬୯  ଡଲାରକୁ ଖସି ଆସିଛି। ଫାଇଜରର ଦାବି  ଅନୁଯାୟୀ, ତାର ବଟିକା ମର୍କ କମ୍ପାନୀର ବଟିକା ତୂଳନାରେ ଅଧିକ ପ୍ରଭାବଶାଳୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.