କରୋନା ଭେକ୍ସିନ୍ ଫେଜ୍-୩ ଟ୍ରାୟଲରେ ୯୦ ପ୍ରତିଶତ ସଫଳତା ନେଇ Pfizerଙ୍କ ଦାବି, ସେୟାର ବାଜରରେ ଫେରିଲା ଚମକ୍

Published By : Prameya-News7 Bureau | November 09, 2020 IST

ୱାସିଂଟନ : ସାରା ବିଶ୍ୱକୁ ସ୍ଥାଣୁ କରିଦେଇଛି କରୋନାଭାଇରସ ଭୂତାଣୁ। ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ହେଉଥିବା ସଂକ୍ରମଣ ବିଶ୍ୱ ବ୍ୟବସ୍ଥାକୁ ଅକର୍ମଣ୍ୟ କରିଦେଇଛି। ଏଥିରେ ଆମେରିକୀୟ ଔଷଧ ନିର୍ମାତା ଫାଇଜର ତାଙ୍କ କୋଭିଡ ଭେକ୍ସିନ୍ ପରୀକ୍ଷଣ ସଫଳ ହୋଇଥିବା ଦାବି କରିବା ବିଶ୍ୱବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଭେକ୍ସିନର ତୃତୀୟ ପର୍ଯ୍ୟୟ ପରୀକ୍ଷଣରୁ ୯୦ ପ୍ରତିଶତ ସଫଳତା ମିଳିଥିବା ଏହାକୁ ପ୍ରସ୍ତୁତ କରିଥିବା ଫାଇଜର ଓ ବାୟୋଏନ୍ ଟେକ୍‌ ଦାବି କରିଛନ୍ତି।

ଫାଇଜରଙ୍କ ଏହି ଦାବି ପରେ ବିଶ୍ୱ ସେୟାର ବଜାରରେ ଚମକ୍‌ ଫେରିଛି। ଏପର୍ଯ୍ୟନ୍ତ ସୁସ୍ତିଆ ଚାଲିଥିବା ସେୟାର ମାର୍କେଟ ପୁଣି ସୁସ୍ଥତା ଆଡକୁ ମୁହାଁଇବ ବୋଲି ଆଶା କରାଯାଉଛି। ଫାଇଜରଙ୍କ ସୂଚନା ଅନୁସାରେ ଭେକ୍ସିନ ଡାଟା ପ୍ରାରମ୍ଭିକ ନଜରରେ ଅନୁନ୍ୟ ୯୦ ପ୍ରତିଶତ ସଫଳ ଥିବା ଅନୁମାନ କରାଯାଉଛି କହିଛନ୍ତି। ଏଥିରୁ ଯାହା ଜଣାପଡୁଛି ଚଳିତମାସ ଶେଷ ସୁଧା ଭେକ୍ସିନର ଜରୁରିକାଳୀନ ଉପଯୋଗ ନିମନ୍ତେ କମ୍ପାନୀ ଆମେରିକୀୟ ନିୟାମକଙ୍କ ନିକଟରେ ଆବେଦନ କରିବ ବୋଲି ଆଶା କରାଯାଉଛି। 

ଫାଇଜର ଅଧ୍ୟକ୍ଷ ତଥା ସିଇଓ ଅଲବର୍ଟ ବୋରଲା ଏକ ବୟାନରେ କହିଛନ୍ତି ଯେ ପ୍ରାଥମିକ ଅନୁଧ୍ୟାନରୁ ଦୁଇ ଡୋଜର ଏହି ଟିକା ପ୍ରଥମ ଡୋଜର ୭ ଦିନ ଦିନ ଦ୍ୱିତୀୟ ଡୋଜ ବେଳକୁ  ରୋଗୀଙ୍କୁ ସୁରକ୍ଷିତ ଦେଖାଯାଇଛି। ସେହିପରି ପ୍ରଥମ ଡୋଜର ୨୮ ଦିନ ବେଳକୁ ରୋଗୀ ସମ୍ପୂର୍ଣ୍ଣ ସୁରକ୍ଷା ହାସଲ କରିପାରିଥିବା ଦେଖାଯାଇଛି।  ଏଣୁ ଟିକା ତାର ପ୍ରାରମ୍ଭିକ କାର୍ଯଦକ୍ଷତା ପ୍ରମାଣିତ କରୁଛି।  ଏଥିରୁ ଆମ ଟିକା କୋଭିଡ-୧୯ ପ୍ରତିରୋଧି ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ବିଶ୍ୱକୁ ଉପୁଜିଥିବା ସ୍ୱାସ୍ଥ୍ୟ ସଂକଟରୁ ମୁକାଳିବାରେ ଆମର ଏହି ପଦକ୍ଷେପ ସଫଳ ହେବ ବୋଲି  ବୋରଲା  କହିଛନ୍ତି।  ଯେତେବେଳେ ବିଶ୍ୱକୁ ଏହାର ଆବଶ୍ୟକତା ଜରୁରି ଥିଲା ଭେକ୍ସିନ ବିକାଶ ଲାଗି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆମେ ମାଇଲଖୁଣ୍ଟ ନିକଟରେ ପହଞ୍ଚିପାରିଛୁ ବୋଲି ସେ କହିଛନ୍ତି। ଏଣୁ ୨୦୨୦ ସୁଦ୍ଧା ସେମାନଙ୍କ କମ୍ପାନୀ ସାରା ବିଶ୍ୱକୁ ୫୦ ନିୟୁତ ଓ ୨୦୨୧ ମସିହା ସୁଧା ୧.୩ ବିଲିୟନ ଡୋଜ ଯୋଗାଇଦେଇ ପାରିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.