Pfizer କହିଲେ କରୋନା ଭାକ୍ସିନ ଚୂଡ଼ାନ୍ତ ଫଳାଫଳ ଉତ୍ସାହ ଜନକ, କମ୍ପାନୀର ଦାବି ୯୫% ଫଳାଫଳ ସଠିକ୍

Published By : Prameya-News7 Bureau | November 18, 2020 IST

ନ୍ୟୁୟର୍କ: କରୋନା ଭାଇରସ ମୁକାବିଲା ଲାଗି ଫାଇଜର ପ୍ରସ୍ତୁତ କରୁଥିବା ଟିକାର ଚୂଡାନ୍ତ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ ଫାଇଜରଙ୍କ ପ୍ରସ୍ତୁତ ଟିକା ୯୫ ପ୍ରତିଶତ ପର୍ଯ୍ୟନ୍ତ ସଫଳ ବୋଲି ଦାବି କରିଛନ୍ତି। କରୋନା ଟିକା ପ୍ରସ୍ତୁତ  କରିବାରେ ଫାଇଜର ପ୍ରଥମ ଆମେରିକୀୟ କମ୍ପାନୀ। କିଛି ଦିନ ପୂର୍ବେ ଫାଇଜର ଏକ ଆନୁମାନିକ ତଥ୍ୟ ଘୋଷଣା କରିଥିଲେ। ଏଥିରେ ଆମେରିକାର ପ୍ରଥମ କୋଭିଡ ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲବର୍ଟ ବର୍ଲା କହିଥିଲେ।

ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଏନ୍.ଟେକ୍ ଏହି ଟିକାର ମିଳିତ ନିର୍ମାଣ କରିଛନ୍ତି। ଯାହାର ଏବେ ଚୂଡ଼ାନ୍ତ ଫଳାଫଳ ଆସିଛି।  ପ୍ରଥମ ଡୋଜ୍ ଟିକା ଦାନର ୨୮ ଦିନ ପରେ ଏହାର ଫଳାଫଳ ମିଳିଛି। ଯେଉଁଥିରେ କମ୍ପାନୀ ଟିକା ପରୀକ୍ଷଣ ଲାଗି ଅନ୍ୟ ଲୋକଙ୍କ ସହ ୧୭୦ ଜଣ କରୋନା ଆକ୍ରାନ୍ତଙ୍କୁ ମଧ୍ୟ ସାମିଲ କରିଥିଲେ। ଫଳାଫଳ ଉତ୍ସାହଜନକ ଜଣାପଡିବା ପରେ କମ୍ପାନୀ ଆମେରିକୀୟ ଔଷଧ ନିୟନ୍ତ୍ରକ ଏଫଡିଏ ଓ ଇୟୁଏଙ୍କ ଅନୁମୋଦନ ନିମନ୍ତେ ଯିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

କେବଳ ଆମେରିକୀୟ ଔଷଧ ନିୟନ୍ତ୍ରକ ନୁହନ୍ତି ସାରା ବିଶ୍ୱର ବିଭିନ୍ନ ଦେଶଙ୍କ ଔଷଧ ନିୟାମକଙ୍କ ଅନୁମୋଦନ ନିମନ୍ତେ ମଧ୍ୟ ପଠାଇବେ ବୋଲି କହିଛନ୍ତି। ଫାଇଜର ୨୦୨୦ ଶେଷ ସୁଧା ଅନୁନ୍ୟ ୫୦ ନିୟୁତ ଡୋଜ୍ ଟିକା ପ୍ରସ୍ତୁତ କରିପାରିଥିବେ ବୋଲି ଦାବି କରିଛନ୍ତି। ସେହିପରି ୨୦୨୧ ଶେଷ ସୁଧା ସାରା ବିଶ୍ୱରେ କମ୍ପାନୀ ୧୩୦ କୋଟି ଡୋଜ୍‌ ଟିକା ବିତରଣ କରିସାରିଥିବେ ବୋଲି କହିଛନ୍ତି। କମ୍ପାନୀର ସାରା ବିଶ୍ୱରେ ଥିବା ଭିତ୍ତିଭୂମି ଓ କୋଲ୍ଡ ଚେନ୍‌ ଜରିଆରେ ବିଶ୍ୱର କୋଣ ଅନୁକୋଣରେ ଟିକା ପହଞ୍ଚାଇପାରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.