ଋଷ୍ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ଋଷ୍ ଓ ଓଡିଶା ମଧ୍ୟରେ ସିଧାସଳଖ ବାଣିଜ୍ୟିକ ସମ୍ପର୍କର ପଥ ପରିଷ୍କାର କରିବାକୁ ନେଲେ ପଦକ୍ଷେପ
23/10/2019 at 11:02 PM

ମସ୍କୋ – ଋଷ୍ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଷ୍ ଓ ଓଡିଶା ମଧ୍ୟରେ ସିଧାସଳଖ ବାଣିଜ୍ୟିକ ସମ୍ପର୍କର ପଥ ପରିଷ୍କାର କରିବାକୁ ପଦକ୍ଷେପ ନେଇଛନ୍ତି । ଋଷର ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ । ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କଲ୍ ଭ୍ଲାଡିଭୋଷ୍ଟୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ଯନ୍ତ ଆସିପାରିବ । ଯାହାଦ୍ୱାରା ଋଷିଆ ଏବଂ ଓଡିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ ବୋଲି ଋଷର ଡେଭଜଡା ଜାହାଜ ଶିଳ୍ପ ପରିଦର୍ଶନ କରିବା ପରେ ରୋଜନେଫଟର ସିଇଓଙ୍କ ସହ ଆଲୋଚନା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି କୋଇଲା କ୍ଷେତ୍ରରେ ଋଷ ସହ ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲର ସହାୟତା ଯୋଗାଇଦେବା ସହ ଦେଶର ଚାହିଦାକୁ ପୂରଣ କରିପାରିବ ବୋଲି ୫ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବୁଧବାର ଋଷର ବିଭିନ୍ନ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ।
ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ୍ ଓ ଜାପାନ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଋଷର ପର୍ବାଞ୍ଚଳ ଏବଂ ଆର୍କେଟିକର ବିକାଶ ପାଇଁ ଦାୟିତ୍ୱ ନେଇଥିବା ଋଷର ପ୍ରଥମ ଉପମନ୍ତ୍ରୀ ସର୍ଗେ ତୃତ୍ସେଭଙ୍କ ସହ ଭାରତ ଏବଂ ଋଷ୍ ମଧ୍ୟରେ ଉର୍ଜା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବରେ କୋକିଂ କୋଲ୍ ଏବଂ ଅନ୍ୟାନ୍ୟ ଉର୍ଜାର ସ୍ରୋତ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଋଷିଆନ୍ ରେଳର ଉପମୁଖ୍ୟ ବାଦିମ୍ ମିଖାଲୋଭଙ୍କୁ ଭେଟି ଧର୍ମେନ୍ଦ୍ର କୋକିଂ କୋଲର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଋଷିଆନ୍ ରେଳର ଉପମୁଖ୍ୟ ସୂଚନା ଦେଇଥିଲେ ଯେ ଋଷିଆନ୍ ରେଳ ଯାତ୍ରୀଙ୍କ ଭିଡକୁ କମ୍ କରିବା ଏବଂ ବନ୍ଦର ଓ ଖଣିଜ କେନ୍ଦ୍ର ସହ ଉତ୍ତମ ସଂଯୋଗ ସ୍ଥାପନ ପାଇଁ ୨୦୨୦ ସୁଦ୍ଧା ଆବଶ୍ୟକୀୟ ଭିତିଭୂମି ପୂରଣ କରିବ ।
ସେହିପରି କେନ୍ଦ୍ରମନ୍ତ୍ରୀ ଋଷିଆନ୍ ଷ୍ଟେଟ୍ ଜିଓଗ୍ରାଫିକାଲ୍ କମ୍ପାନୀର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ୍, ତୈଳ, ଗ୍ୟାସ୍ ଏବଂ ମୂଲ୍ୟବାନ୍ ଧାତୁ ତଥା ଲିଥିୟମ୍ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ସେହିପରି ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳୀ ଓ କୋଇଲା କମ୍ପାନୀ ଋଷର ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ ଉପରେ ଆଲୋଚନା କରିଥିଲେ । ଏହି ଗସ୍ତରେ ଧର୍ମେନ୍ଦ୍ରଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳୀ ମଧ୍ୟରେ ପାରାଦୀପ ବନ୍ଦରର ଅଧ୍ଯକ୍ଷ ରିଙ୍କେଶ ରାୟ, ଓଏନଜିସିର ସିଏମଡି, ସେଲର ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି ।