ପାକିସ୍ତାନରେ ଧନୀ ଏବଂ ଗରିବଙ୍କ ପାଇଁ ଅଲଗା ରହିବ ପେଟ୍ରୋଲ-ଡିଜେଲ୍ ଦାମ୍, ଯୋଜନା ପ୍ରସ୍ତୁତ କଲେ ଇମ୍ରାନ ସରକାର

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦: ଭାରତ ଓ ପାକିସ୍ତାନର ଆର୍ଥିକ ସ୍ଥିତି ଏବଂ ଅର୍ଥନୀତିରେ ଆକାଶ-ପାତାଳ ଫରକ ରହିଛି। ଏହା ସତ୍ତ୍ଵେ ଦୁଇ ଦେଶ ମଧ୍ୟରେ ଅନେକ ସମାନତା ରହିଛି। ଆଉ ଦୁଇ ଦେଶ ମଧ୍ୟରେ ସବୁଠୁ ବଡ ପ୍ରସଙ୍ଗ ହେଉଛି ବର୍ଦ୍ଧିତ ପେଟ୍ରୋଲ-ଡିଜେଲ୍ ଦର। ଭାରତର ଅଧିକାଂଶ ରାଜ୍ୟରେ ପେଟ୍ରୋଲ-ଡିଜେଲ୍ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ଅନ୍ୟପଟେ ପାକିସ୍ତାନରେ ପେଟ୍ରୋଲ ଲିଟର ପ୍ରତି ଦାମ ୧୩୮ ଟଙ୍କା ରହିଛି। ପାକିସ୍ତାନର ଇମ୍ରାନ ଖାନ ସରକାର ନିକଟରେ ପେଟ୍ରୋଲ ଦାମ ଲିଟର ପିଛା ୧୦ ଟଙ୍କା  ବୃଦ୍ଧି କରିଥିବା ବେଳେ ଡିଜେଲ୍ ୧୨ ଟଙ୍କା ମହଙ୍ଗା ହୋଇଛି।

ପେଟ୍ରୋଲ-ଡିଜେଲ୍‌ର ଆକାଶଛୁଆଁ ଦାମକୁ ନେଇ ଅଡୁଆରେ ଇମ୍ରାନ ଖାନ ସରକାର ନୂତନ ପ୍ଲାନ ଉପରେ କାମ କରୁଛନ୍ତି। ଜିଓ ନ୍ୟୁଜର ରିପୋର୍ଟ ଅନୁସାରେ, ପାକିସ୍ତାନ ସରକାର ଧନୀ ଏବଂ ଗରିବଙ୍କ ପାଇଁ ତେଲ ଦାମ ଅଲଗା ଅଲଗା ରଖିବା ଉପରେ ବିଚାର କରୁଛନ୍ତି। ଏହି ଯୋଜନା ଅନୁଯାୟୀ, ବାଇକ ଚାଳକ, ଅଟୋ ଚାଳକ ଏବଂ କମ ଆୟ ବିଶିଷ୍ଟ ଲୋକଙ୍କୁ ସବସିଡିରେ ପେଟ୍ରୋଲ-ଡିଜେଲ୍ ଦିଆଯିବ। ଅନ୍ୟପଟେ ଧନୀଙ୍କୁ ବଜାର ମୂଲ୍ୟ  ହିସାବରେ ପେଟ୍ରୋଲ-ଡିଜେଲ୍ କିଣିବାକୁ ପଡିବ।

ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ବୁଧବାର କ୍ଷମତାସୀନ ପାର୍ଟିର ସଦସ୍ୟଙ୍କ ବୈଠକ ଡକାଇଥିଲେ। ଏଥିରେ ପେଟ୍ରୋଲ ଦର ଉପରେ ଆଲୋଚନା କରାଯାଇଛି। ଇମ୍ରାନ ଖାନ ସମ୍ବନ୍ଧିତ ଅଧିକାରୀଙ୍କୁ ନିମ୍ନ ଆୟ ବର୍ଗଙ୍କ ପାଇଁ ପେଟ୍ରୋଲ ସବସିଡି ପ୍ଲାନ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଥିରେ ମୋଟର ସାଇକେଲ୍ ଚାଳକ, ରିକ୍ସା ଓ ସାର୍ବଜନୀନ ଯାନ ବ୍ୟତୀତ କମ ଆୟ  ବିଶିଷ୍ଟ ଲୋକଙ୍କୁ ଶସ୍ତା ଦାମରେ ପେଟ୍ରୋଲ-ଡିଜେଲ୍ ମିଳିବ। ଏହି ଡ୍ରାଫ୍ଟକୁ ଆଗାମୀ ସପ୍ତାହରେ ଉପସ୍ଥାପନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.