ପେଟ୍ରୋଲ-ଡିଜେଲ୍ ଦାମ ୫ ଟଙ୍କା ବଢିବ ! ଲକ୍‌ଡାଉନ୍‌ ପରେ କ୍ଷତି କମାଇବାକୁ ତୈଳ କମ୍ପାନୀ ନେବେ ବଡ ନିଷ୍ପତ୍ତି

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ ୨୮।୦୫: ଲକ୍‌ଡାଉନ୍‌ ହଟିବା ପରେ ଜୁନ୍ ମାସରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ଲିଟର ପିଛା ୪ ରୁ ୫ ଟଙ୍କା ବୃଦ୍ଧି ଘଟିପାରେ। ସାର୍ବଜନୀନ ତୈଳ ବିପଣନ କମ୍ପାନୀ ନିଜର ଦୈନନ୍ଦୀନ ତୈଳ ଦର ସମୀକ୍ଷା ନୀତି ଆଧାରରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢାବାର ସମ୍ଭାବନା ଏବେ ଅଧିକ।

ସାର୍ବଜନୀନ କ୍ଷେତ୍ରର ତୈଳ ବିପଣନକାରୀ କମ୍ପାନୀଙ୍କ ଅନୁଯାୟୀ ସମସ୍ତ ରିଟେଲର କୋଭିଡ୍-୧୯ ଲକ୍‌ଡାଉନ୍ ପରର ସ୍ଥିତିର ସମୀକ୍ଷା ଓ ଦୈନିକ ତୈଳ ଦର ସଂଶୋଧନ ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ନିମନ୍ତେ ଗତ ସପ୍ତାହରେ ବୈଠକ କରିଥିଲେ।

ଯଦି ସରକାର OMCକୁ ଇନ୍ଧନ ବିକ୍ରିରେ ହେଉଥିବା ଘାଟାକୁ ରୋକିବା ପାଇଁ ଦୈନିକ ତୈଳ ଦର ସଂଶୋଧନକୁ ମଞ୍ଜୁରୀ ଦିଅନ୍ତି ତେବେ ଜୁନ୍‌ରେ ଲକ୍‌ଡାଉନ୍‌ ହଟିବା ପରେ ଏହାକୁ ଲାଗୁ କରାଯାଇପାରେ। ଯଦି ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଲାଗୁ ହୁଏ ତେବେ ସରକାର ଏଥିରେ ଅନେକ କୋହଳ ଦେଇ ପାରନ୍ତି, ଯଦ୍ଵାରା ପେଟ୍ରୋଲ ଓ ଡିଜେଲ୍‌ ବିକ୍ରି ଲାଗି ବଜାରର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାରିବ।

ତୈଳ ବଜାର ଗତ ମାସ ତୂଳନାରେ ଚଳିତ ମାସରେ ୫୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛନ୍ତି। ଏବେ ଅଶୋଧିତ ତୈଳ ଦର  ବ୍ୟାରେଲ୍ ପିଛା ୩୦ ଡଲାର ଛୁଇଁଲାଣି। ଯଦି ଅଶୋଧିତ ତୈଳ ଏମିତି ବଢିଚାଲେ ତେବେ ଗତ ମାସରେ ବଢିଥିବା ଉତ୍ପାଦ ଶୁଳ୍କ ପରେ ବି ତୈଳ କମ୍ପାନୀଙ୍କୁ କ୍ଷତି ସହିବାକୁ ପଡିପାରେ। କୋଭିଡ୍-୧୯ ମହାମାରୀ ଓ ଲକ୍‌ଡାଉନ୍‌ କାରଣରୁ ଚାହିଦା କମ ଥିବାରୁ ପ୍ରଥମରୁ ହିଁ ପେଟ୍ରୋଲ ଓ ଡିଜେଲ୍ ବିକ୍ରି କମ ରହିଛି।

ପ୍ରଥମରୁ ହିଁ ଓଏମସି ପାଇଁ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଏବଂ ବିକ୍ରି ମୂଲ୍ୟ ମଧ୍ୟରେ ଲିଟର ପିଛା ୪ ରୁ ୫ ଟଙ୍କା ବ୍ୟବଧାନ ରହିଛି। ଏବେ ଏହି କ୍ଷତିର ଭରଣା ଲାଗି ତୈଳ ଦର ବୃଦ୍ଧି କରାଯାଇପାରେ। ଏହାରି ଆଧାରରେ ତୈଳ ଦର ପ୍ରତି ଦିନ ୪୦ ରୁ ୫୦ ପଇସା ଲିଟର ପିଛା ବଢିପାରେ।

କିନ୍ତୁ ସରକାରୀ ସୂତ୍ରରୁ ସଙ୍କେତ ମିଳିଛି ଯେ, ସରକାର ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଆଗକୁ ବଢାଇବାକୁ ଅନୁମତି ଦେଇ ପାରିବେ ନାହିଁ। ସେ ଦୈନିକ ମୂଲ୍ୟ ସଂଶୋଧନ ହେଉନା କାହିଁକି। ଏହାର ଅର୍ଥ ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦ ପ୍ରତି ଦିନ ୨୦ ରୁ ୪୦ ପଇସା କିମ୍ବା ଏଥିରୁ କମ ହିସାବରେ ବୃଦ୍ଧି କରାଯାଇପାରେ ଯେ ପର୍ଯ୍ୟନ୍ତ ତୈଳ କମ୍ପାନୀଙ୍କ ଖର୍ଚ୍ଚ ଏବଂ ବିକ୍ରି ମଧ୍ୟରେ ଥିବା ବ୍ୟବଧାନ ସମାପ୍ତ ହୋଇ ନାହିଁ।

ଉଲ୍ଲେଖନୀୟ, ଗତ ମାସ ତୂଳନାରେ ଚଳିତ ମାସରେ ଅଶୋଧିତ ତୈଳ ଦର ୫୦ ପ୍ରତିଶତ ଅଧିକ ରହିଛି। ଗତ ମାସରେ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ୍‌ ବ୍ୟାରେଲ ପିଛା ୨୦ ଡଲାରରୁ କମ୍ ରହିଥିଲା, ଯାହା ଏବେ ବ୍ୟାରେଲ୍ ପିଛା ୩୦ ଡଲାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.