ଅଧା ହୋଇପାରେ ପେଟ୍ରୋଲ-ଡିଜେଲ୍ ଦାମ୍, ଏହି ବିକଳ୍ପ ଉପରେ ବିଚାର କରୁଛନ୍ତି ସରକାର

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୦୨: ଦେଶରେ ସଂପ୍ରତି ପେଟ୍ରୋଲ-ଡିଜେଲ୍‌ ଦର ଆକାଶଛୁଆଁ ରହିଛି। ତୈଳ ଦରକୁ ନେଇ ଲୋକେ କଲ୍‌ବଲ୍‌। ଏପରିକି ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ୧୦୦ ଛୁଇଁଲାଣି। ଯଦି କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦକୁ ବସ୍ତୁ ଓ ସେବା କର(ଜିଏସଟି)ରେ ସାମିଲ କରିବେ ତେବେ ସାଧାରଣ ଜନତାଙ୍କୁ ଏଥିରୁ ଆଶ୍ଵସ୍ତି ମିଳି ପାରିବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ସଙ୍କେତ ମଧ୍ୟ ଦେଇ ସାରିଛନ୍ତି। ଜିଏସଟିରେ ସାମିଲ ହେଲେ ପେଟ୍ରୋଲ-ଡିଜେଲ୍ ଦାମ ବର୍ତ୍ତମାନ ଦରଠୁ ଅଧା ହୋଇଯିବ।

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ୍ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ରାଜ୍ୟ ଭାଟ୍‌ ଆଦାୟ କରୁଛନ୍ତି। କେବଳ ଶୁଳ୍କ ଏତେ ରହିଛି ଯେ, ୩୫ ଟଙ୍କାର ପେଟ୍ରୋଲ ବିଭିନ୍ନ ରାଜ୍ୟରେ ଲିଟର ପିଛା ୯୦ ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ଫେବୃଆରୀ ୨୩ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୯୩ ଟଙ୍କା ଓ ଡିଜେଲ୍ ଲିଟର ପ୍ରତି ୮୧.୩୨ ଟଙ୍କାରେ ରହିଥିଲା। ପେଟ୍ରୋଲ ଉପରେ କେନ୍ଦ୍ର ସରକାର ୩୨.୯୮ ଟଙ୍କାର ଉତ୍ପାଦ ଶୁଳ୍କ ଲଗାଉଛନ୍ତି। ଦେଶରେ ଜିଏସଟି ଲାଗୁ ହୋଇଥିଲେ ମଧ୍ୟ ପେଟ୍ରୋଲ-ଡିଜେଲ୍‌କୁ‌ ଏଥିରୁ ବାହାରେ ରଖାଯାଇଛି। ଏବେ ସୀତାରମଣ ଇନ୍ଧନ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ସହଯୋଗ ଓ ସମନ୍ଵୟ ପାଇଁ ଆହ୍ଵାନ ଦେଇଛନ୍ତି।

ଜିଏସଟିରେ ସାମିଲ ହେଲେ ଏହା ପଡିବ ପ୍ରଭାବ

ଯଦି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଯାଏ ତେବେ ସମଗ୍ର ଦେଶରେ ପେଟ୍ରୋଲ-ଡିଜେଲ୍ ଦର ସାମାନ୍ୟ ହୋଇଯିବ। କେବଳ ଏତିକି ନୁହେଁ ଯଦି ଜିଏସଟି ପରିଷଦ କମ ସ୍ଲାବ୍‌ର ବିକଳ୍ପ ଚୟନ କରନ୍ତି ତେବେ ତୈଳ ଦର ଆହୁରି କମ ହୋଇଯିବ। ବର୍ତ୍ତମାନ ଭାରତରେ ଚାରୋଟି ପ୍ରାଥମିକ ଜିଏସଟି ସ୍ଲାବ ରହିଛି। ତାହା ହେଉଛି- ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ଓ ଭାଟ୍ ନାମରେ ଇନ୍ଧନ ଉପରୁ ୧୦୦ ପ୍ରତିଶତରୁ ଅଧିକ ଟ୍ୟାକ୍ସ ଆଦାୟ କରୁଛନ୍ତି।

ସମସ୍ୟା ମଧ୍ୟ ରହିଛି

ସରକାରଙ୍କ ପ୍ରମୁଖ ରାଜସ୍ଵ ପେଟ୍ରୋଲିୟମ ଉତ୍ପାଦରୁ ଆସୁଛି। ଏଥିପାଇଁ ଜିଏସଟି ପରିଷଦ ପେଟ୍ରୋଲ ଓ ଡିଜେଲ୍‌କୁ ଅଧିକ ସ୍ଲାବ୍‌ରେ ରଖି ପାରନ୍ତି। ଏଥିସହ ଏହା ଉପରେ ଉପକର ଲଗାଇବାର ସମ୍ଭାବନା ମଧ୍ୟ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ପେଟ୍ରୋଲିୟମ କ୍ଷେତ୍ରରୁ ସରକାର ୨ ଲକ୍ଷ ୩୭ ହଜାର ୩୩୮ କୋଟି ଟଙ୍କାର ରାଜସ୍ଵ ଆଦାୟ କରିଛନ୍ତି। ଏଥିରେ ୧, ୫୩, ୨୮୧ କୋଟି ଟଙ୍କା କେନ୍ଦ୍ରର ଅଂଶ ରହିଥିବା ବେଳେ ୮୪,୦୫୭ ଟଙ୍କା ରାଜ୍ୟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.