ଏହି ରାଜ୍ୟରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ୍, ସରକାର ବଢାଇ ଦେଲେ ୪ ପ୍ରତିଶତ ଭାଟ୍
22/03/2020 at 7:49 PM

ଜୟପୁର ୨୨।୦୩: ରାଜସ୍ଥାନ ସରକାର ରବିବାରଠୁ ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଉପରେ ଭାଟ୍ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ରାଜ୍ୟରେ ଏବେ ପେଟ୍ରୋଲ, ଡିଜେଲ୍ ଆହୁରି ମହଙ୍ଗା ହେବ। ରାଜ୍ୟ ସରକାର ଶନିବାର ବିଳମ୍ବିତ ରାତ୍ରିରେ ପେଟ୍ରୋଲ ଉପରେ ଭାଟ୍ ୩୦ ପ୍ରତିଶତରୁ ବଢାଇ ୩୪ ପ୍ରତିଶତ କରିଛନ୍ତି। ସେହି ପରି ଡିଜେଲ୍ ଉପରେ ଭାଟ୍ ୨୨ ପ୍ରତିଶତରୁ ବୃଦ୍ଧି କରି ୨୬ ପ୍ରତିଶତ କରିବାକୁ ଆଦେଶ ଜାରି କରିଛନ୍ତି। ଭାଟ୍ ବୃଦ୍ଧି ଯୋଗୁଁ ଜୟପୁରରେ ପେଟ୍ରୋଲ ଏବେ ଲିଟର ପିଛା ୭୫.୫୭ ଟଙ୍କା ଓ ଡିଜେଲ୍ ୬୯.୨୬ ଟଙ୍କାରେ ପହଞ୍ଚିଛି। ରାଜ୍ୟ ସରକାର ଏହା ପୂର୍ବରୁ ଗତ ବର୍ଷ ଜୁଲାଇରେ ମଧ୍ୟ ଭାଟ୍ ଚାରି ପ୍ରତିଶତ ବୃଦ୍ଧି କରିଥିଲେ।
ରାଜସ୍ଥାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସଭାପତି ସୁନିଲ ବଗଇ କହିଛନ୍ତି ଯେ, ଭାଟ୍ ଦର ବୃଦ୍ଧିରେ ପେଟ୍ରୋଲ ପମ୍ପ ଡିଲର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ। ଏହା ସହିତ ପଡୋଶୀ ରାଜ୍ୟର ସୀମା ଅନ୍ତର୍ଗତ ସ୍ଥିତ ପେଟ୍ରୋଲ ଓ ଡିଜେଲ୍ ବନ୍ଦ ହେବାର ଦ୍ଵାରରେ ପହଞ୍ଚିବ। କାରଣ ରାଜ୍ୟର ସୀମାରେ ଅବସ୍ଥିତ ପେଟ୍ରୋଲ ପମ୍ପରେ ତେଲର ଚାହିଦା କମିଯିବ।

ସେ କହିଛନ୍ତି ଯେ, ଯଦି ପଡୋଶୀ ରାଜ୍ୟର ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟର ମୂଲ୍ୟାଙ୍କନ କରାଯାଏ ତେବେ ରାଜ୍ୟର ପେଟ୍ରୋଲ ଓ ଡିଜେଲ୍ ଦର ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଅଧିକ ମହଙ୍ଗା ହେବ। ବିକ୍ରି କମ ହେବାରୁ ରାଜସ୍ଵରେ କ୍ଷତି ଘଟିବ ଏବଂ ସାଧାରଣ ଲୋକଙ୍କ ଉପରେ ଏହାର ବୋଝ ପକାଇବା ଉଚିତ୍ ହେବ ନାହିଁ। ସରକାର ଇନ୍ଧନ ଉପରେ ଭାଟ୍ ବୃଦ୍ଧି କରିବା ପରିବର୍ତ୍ତେ ଅନ୍ୟ ସ୍ରୋତରୁ ଆୟ ଅର୍ଜନ କରିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ସଭାପତି ସୁନିଲ ବଗଇ ପୂର୍ବର ବସୁନ୍ଧରା ରାଜେ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରୁ ଚାରି ପ୍ରତିଶତ ଭାଟ୍ ହ୍ରାସ କରିବା ନିର୍ଣ୍ଣୟକୁ ଉଚିତ୍ ପଦକ୍ଷେପ କହିଛନ୍ତି। ଏହା ପରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲା। କଂଗ୍ରେସ ସରକାର ଏହାକୁ ବଦଳାଇ ଗତ ବର୍ଷ ଜୁଲାଇ ୬ରେ ଅଧିସୂଚନା ଜାରି କରି ପେଟ୍ରୋଲ ଉପରେ ଭାଟ୍ ୨୬ ପ୍ରତିଶତରୁ ୩୦ ପ୍ରତିଶତ ଏବଂ ଡିଜେଲ୍ ଉପରେ ଭାଟ୍ ୧୮ ପ୍ରତିଶତରୁ ୨୨ ପ୍ରତିଶତ କରିଥିଲେ। ଏବେ ପୁଣି ଥରେ ଆହୁରି ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏଥିରେ ଉପଭୋକ୍ତାଙ୍କ ଉପରେ ବୋଝ ପଡିବ।