ପେଟ୍ରୋଲ-ଡିଜେଲ୍ ଉପରେ ୬୯ ପ୍ରତିଶତ ଟିକସ୍ ଲଗାଇ ଜନତାଙ୍କୁ ଲୁଟୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ
13/06/2020 at 3:49 PM

ନୂଆଦିଲ୍ଲୀ ୧୩।୦୬: କଂଗ୍ରେସ ନେତା କପିଲ୍ ସିବ୍ବଲ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ନେଇ ଶନିବାର ମୋଦୀ ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ହ୍ରାସ ପାଇବାର ଫାଇଦା କେନ୍ଦ୍ର ସରକାର ଦେଶର ଜନତାଙ୍କୁ ଦେଇ ନାହାନ୍ତି। ଓଲଟା ଟିକସ ବୃଦ୍ଧି କରି ଜନତାଙ୍କୁ ଲୁଟୁଛନ୍ତି। ସେ କହିଛନ୍ତି, ପେଟ୍ରୋଲ-ଡିଜେଲ୍ ପଉରେ ବିକାଶଶୀଳ ଦେଶ ମଧ୍ୟରୁ ଭାରତରେ ହିଁ ସବୁଠୁ ଅଧିକ ଟିକସ ଆଦାୟ କରାଯାଉଛି।
ସିବ୍ବଲ କହିଛନ୍ତି ପେଟ୍ରୋ-ଡିଜେଲ୍ ଦାମ ଅନ୍ତରାଷ୍ଟ୍ରୀୟ ବଜାରରେ ବହୁତ କମ ରହିଛି। କେନ୍ଦ୍ର ସରକାର ଏଥିରୁ କ୍ରମାଗତ ଲାଭ ପାଉଛନ୍ତି। କିନ୍ତୁ ଏହାର ଫାଇଦା ଜନତାଙ୍କୁ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ଓଲଟା ପେଟ୍ରୋଲ-ଡିଜେଲ୍ ଦର ବଢାଇ ଜନତାଙ୍କୁ ଲୁଟୁଛନ୍ତି।
କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ଶନିବାର ଏଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସରକାର ଇନ୍ଧନରୁ ବହୁତ ଲାଭ ପାଉଛନ୍ତି। ଲାଭରେ କ୍ରମାଗତ ବୃଦ୍ଧି ଘଟି ଚାଲିଛି। ଅନ୍ୟପଟେ ତୈଳ ଦର ମଧ୍ୟ ବଢାଯାଉଛି। ତୈଳ ଦର ବଢିବା ଦ୍ଵାରା ଅନ୍ୟ ସବୁ ବସ୍ତୁର ଦାମ ମଧ୍ୟ ବଢି ଚାଲିଛି। ଯାହା ପ୍ରଭାବରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗାଇ ମାଡ ପଡୁଛି।
ସେ କହିଛନ୍ତି, ସରକାର ତୈଳରୁ ଲକ୍ଷାଧିକ କୋଟି ଟଙ୍କା ସଞ୍ଚୟ କରୁଛନ୍ତି ଏବଂ ଉଦ୍ୟୋଗପତିଙ୍କୁ ଫାଇଦା ଦେଉଛନ୍ତି। କିନ୍ତୁ ବିଡମ୍ବନା କଥା ତୈଳ ଦର ବଢାଯାଇ ଜନତାଙ୍କଠୁ ଲୁଟା ଯାଉଛି। ସେ କହିଛନ୍ତି ୨୦୧୪ ମେ ମାସରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୧ ଟଙ୍କା ୪୧ ପଇସା ଥିବା ବେଳେ ଆଜିର ଦିନରେ ଦିଲ୍ଲୀରେ ପେଟ୍ରୋଲ ଦର ୭୫ ଟଙ୍କା ୧୬ ପଇସା ରହିଛି। ସବୁଠୁ ବଡ କଥା ୨୦୧୪ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୬ ଡଲାର ରହିଥିଲା। କିନ୍ତୁ ଆଜି ବ୍ୟାରେଲ ପିଛା ୩୮ ଡଲାର ରହିଛି। ଏହାର ଅର୍ଥ ସରକାର ତୈଳରୁ ମୋଟା ଅଙ୍କର ଆୟ କରୁଛନ୍ତି ଏବଂ ସାଧାରଣ ଜନତାଙ୍କୁ ଲୁଟୁଛନ୍ତି।