Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀ ଚାନ୍ଦବାଗ ହିଂସାରେ ‘ଆପ୍’ କର୍ପୋରେଟରଙ୍କ ହାତ ସନ୍ଦେହ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ ୨୭।୨:  ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିଛି। ତେବେ ଉପୁଜିଥିବା ପରିସ୍ଥିତିକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଦିଲ୍ଲୀ ନଗରନିଗମର ଚାନ୍ଦବାଗ କର୍ପୋରେଟର ତାହିର ହୁସେନଙ୍କର ଦଙ୍ଗାରେ ପ୍ରତ୍ୟକ୍ଷ ହାତ ଥିବାର ଏବେ ସନ୍ଦେହ କରାଯାଉଛି। ଏଥିରେ ତାଙ୍କ ଘରର ଛାତ ଉପରୁ ଟେକାପଥର ଓ ପେଟ୍ରୋଲ ବୋମା ଆଦି ମିଳିବା ପରେ ଦଙ୍ଗାରେ ନିହତ ଆଇବି ଅଫିସରଙ୍କ ପରିବାର ତାହିରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।

ତେବେ ତାହିର ଅଭିଯୋଗକୁ ଅସ୍ୱୀକାର କରୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ଦଙ୍ଗାକୁ ନେଇ ତାଙ୍କର ମୁଖା ଉତାରିଦେଇଛି। ଚାନ୍ଦବାଗ ଦଙ୍ଗା ବେଳେ ତାହିରଙ୍କ ଘର ଉପରୁ ଉପଦ୍ରବକାରୀମାନେ ଲୋକଙ୍କ ଉପରୁ ପ୍ରବଳ ଟେକାପଥର ମାଡ କରିଥିବା ବେଳେ ପେଟ୍ରୋଲ ବୋମା ମଧ୍ୟ ଫିଙ୍ଗିଥିବାର ଏହି ଭିଡିଓ ପ୍ରମାଣ ଦେଉଛି। ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଗଣମାଧ୍ୟମ ତାଙ୍କ ଘରକୁ ଯାଇଥିବା ବେଳେ ଛାତ ଉପରେ ବସ୍ତା ବସ୍ତା ଟେକାପଥର ଓ କ୍ୟାରେଟ୍‌ରେ ପେଟ୍ରୋଲ ବୋମା ରଖାଯାଇଥିବା ଦେଖାଯାଇଛି। ଏହା ପୂର୍ବରୁ ତାହିରଙ୍କ ଘର ଉପରୁ ପେଟ୍ରୋଲ ବୋମା ମାଡ ହେଉଥିବାର ଭିଡିଓ ଭାଇରାଲ ହୋଇଥିଲା।

ତେବେ ତାହିର ଦଙ୍ଗା ବେଳେ ସେ ଘରେ ନଥିଲେ ବୋଲି ତାଙ୍କ ସଫେଇରେ କହିଛନ୍ତି। ୨୪ ଓ ୨୫ ଫେବୃଆରୀରେ ଦିଲ୍ଲୀରେ ଦଙ୍ଗା ଦେଖାଦେଇଥିଲା। ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୩୪ଜଣଙ୍କର ମୃତ୍ୟୁ ହୋଇଥିବାର ପୁଷ୍ଟି ହୋଇଛି। ଏହି ସଂଖ୍ୟା ଆହୁରି ବି ବଢିପାରେ ବୋଲି ଏବେ ଆଶଙ୍କା କରାଯାଉଛି। ତେବେ ଦିଲ୍ଲୀରେ ଆପ୍ କର୍ପୋରେଟରଙ୍କ ଷଡଯନ୍ତ୍ର ଏବେ ପଦାକୁ ଆସିଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।

   Related Posts