ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ! ଆମେରିକାର କଟକଣା କୋହଳ ହେବା ମାତ୍ରେ ଏହି ଦେଶରୁ ଅଶୋଧିତ ତୈଳ ଆମଦାନୀ କରିବ ଭାରତ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୦୮।୦୪: ଆମେରିକା ସରକାର ପକ୍ଷରୁ ଲଗାଯାଇଥିବା କଟକଣା ପରେ ୨୦୧୯ ମଧ୍ୟ ଭାଗରୁ ଇରାନଠୁ ଅଶୋଧିତ ତୈଳ ଆମଦାନୀ ବନ୍ଦ ରହିଥିଲା। ଏବେ ଭାରତ ଅଶୋଧିତ ତୈଳ ପାଇଁ ସାଉଦି ଆରବ ବ୍ୟତୀତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ଏହି ସମୟରେ ଆମେରିକା କଟକଣାରେ କୋହଳ କଲେ ଭାରତ ଇରାନଠୁ ଅଶୋଧିତ ତୈଳ ଦର କିଣିବା ଆରମ୍ଭ କରିବ। ଏମିତି ହେଲେ ଭାରତରେ ପେଟ୍ରୋଲ-ଡିଜେଲ୍ ଦର ଶସ୍ତା ହେବ ଏବଂ ଏହାର ଫାଇଦା ଜନତାଙ୍କ ମିଳିବ।

ଭାରତ ସରକାରର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ଯେ, ଥରୁଟିଏ ଆମେରିକାର କଟକଣା କୋହଳ ହେଲେ ଭାରତ ଇରାନଠୁ ତୈଳ ଆମଦାନୀ  ଉପରେ ବିଚାର କରିବ। ଭାରତୀୟ ତୈଳ ବିଶୋଧନକାରୀ କମ୍ପାନୀ ମଧ୍ୟ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆମେରିକାର କଟକଣା ହଟିବା ମାତ୍ରେ ଭାରତ-ଇରାନ ମଧ୍ୟରେ ଇନ୍ଧନକୁ ନେଇ ରାଜିନାମା ହୋଇପାରେ। ଇରାନଠୁ ତୈଳ ଆସିବା ମାତ୍ରେ ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ୍ ଦାମ  ହ୍ରାସ ପାଇବା ସହିତ ଭାରତର ଆମଦାନୀ ସ୍ରୋତରେ ଭାରସାମ୍ୟ ରହି ପାରିବ। ଆର୍ଥିକ ବର୍ଷ ୨୦୨୦-୨୧ରେ ଇରାକ ଭାରତର ସବୁଠୁ ବଡ ରପ୍ତାନୀକାରୀ ଦେଶ ପାଲଟିଛି। ଏହା ପରେ ସାଉଦି ଆରବ ଏବଂ ୟୁଏଇ ରହିଛି। ନାଇଜେରିଆରେ ଚତୁର୍ଥରେ ଥିବା ବେଳେ ଆମେରିକା ପଞ୍ଚମରେ ରହିଛି।

ଅଧିକାରୀ କହିଛନ୍ତି ଯେ, ଆମେ ଓପେକ ଦେଶକୁ ଉତ୍ପାଦନ ବଢାଇବାକୁ ଦାବି କରୁଛୁ। ତୈଳ ଦର ବୃଦ୍ଧି ଭାରତ ସମେତ ଦୁନିଆର ଆର୍ଥିକ ପୁନରୁଦ୍ଧାର ପ୍ରତି ବିପଦ। ଉଲ୍ଲେଖନୀୟ ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତରୁ ଅଧିକ ଇନ୍ଧନ ଅନ୍ୟ ଦେଶରୁ ଆମଦାନୀ କରିଥାଏ। ସମୟ ଥିଲା ଭାରତ ଇରାନର ସବୁଠୁ ବଡ ଗ୍ରାହକ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.