କ୍ରମାଗତ ୪ର୍ଥ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି, ୫ ଟଙ୍କା ପର୍ଯ୍ୟନ୍ତ ବଢିପାରେ ଦର

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୬: କ୍ରମାଗତ ଚତୁର୍ଥ ଦିନ ପାଇଁ ଜୁନ୍ ୧୦ ତାରିଖରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଛି । ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୪୦ ପଇସା ବୃଦ୍ଧି ପାଇ ଲିଟର ପିଛା ୭୩.୪୦ ଟଙ୍କା ହୋଇଛି । ଏହାସହ ଡିଜେଲର ଦର ୪୫ ପଇସା ବୃଦ୍ଧି ହୋଇଛି । ସେହିପରି ପେଟ୍ରୋଲ ଲିଟର ପିଛା ୨.୧୪ ଟଙ୍କା ଏବଂ ଡିଜେଲ ୪ ଦିନରେ ଲିଟର ପିଛା ୨.୨୩ ଟଙ୍କା ମହଙ୍ଗା ହୋଇଛି । ସାରା ଦେଶରେ ମୂଲ୍ୟ ବୃଦ୍ଧି ପାଇଛି । ସ୍ଥାନୀୟ ଟିକସ ଏବଂ ଭାଟ୍ ଯୋଗୁଁ ଏହି ମୂଲ୍ୟ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ହେବ ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଜୁନ୍ ୧୦ ରେ ଲିଟର ପ୍ରତି ପେଟ୍ରୋଲ ଦର ଦିଲ୍ଲୀରେ ୭୩.୪, କୋଲକତାରେ ୭୫.୩୬, ମୁମ୍ବାଇରେ ୮୦.୪୨, ଚେନ୍ନାଇରେ ୭୭.୪୩ ଟଙ୍କା ରହିଛି । ସେହିପରି ଲିଟର ପ୍ରତି ଡିଜେଲ ଦର ଦିଲ୍ଲୀରେ ୭୧.୬୨, କୋଲକତାରେ ୬୭.୬୩, ମୁମ୍ବାଇରେ ୭୦.୩୨, ଚେନ୍ନାଇରେ ୭୦.୧୩ ଟଙ୍କା ରହିଛି ।

କମ୍ପାନୀ କହିଛି ଯେ, ପେଟ୍ରୋଲ ଏବଂ ଡିଜେଲରେ ମୂଲ୍ୟ ଏବଂ ବିକ୍ରୟ ମଧ୍ୟରେ ପାର୍ଥକ୍ୟ ଲିଟର ପିଛା ୪-୫ ଟଙ୍କାରେ ପହଞ୍ଚି ସାରିଛି । ବିଶ୍ବ ମୂଲ୍ୟକୁ ଦୃଷ୍ଟିରେ ରଖି ଅଭାବକୁ ପୂରଣ କରିବା ପାଇଁ ଲଗାତାର ଦୁଇ ସପ୍ତାହ ପାଇଁ ପ୍ରତିଦିନ ୪୦-୫୦ ପଇସା ବୃଦ୍ଧି କରିବାକୁ ପଡିବ ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ମୂଲ୍ୟ ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର କରନ୍ତି । ଇଣ୍ଡିଆନ୍ ଅଏଲ୍, ଭରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ରତିଦିନ ସକାଳ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରନ୍ତି ।

SMS ମାଧ୍ୟମରେ ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲର ଦର ଜାଣନ୍ତୁ…

ଆପଣ ଆପଣଙ୍କ ସହରର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ SMS ମାଧ୍ୟମରେ ଯାଞ୍ଚ କରିପାରିବେ । ଇଣ୍ଡିଆନ୍ ଅଏଲ୍ (ଆଇଓସି) ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରକୁ RSP <ଡିଲର କୋଡ୍>  ଲେଖି ପଠାଇ ପାରିବେ ଏବଂ HPCL ଗ୍ରାହକ ୯୨୨୨୨୦୧୧୨୨ ନମ୍ବରକୁ HPPRICE <ଡିଲର କୋଡ୍> ଲେଖି ପଠାଇ ପାରିବେ । BPCL ଗ୍ରାହକମାନେ ୯୨୨୩୧୧୨୨୨୨ ନମ୍ବରକୁ RSP <ଡିଲର କୋଡ୍> ଲେଖି ପଠାଇ ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.