ଦେଶରେ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ଦର ! ତେଲ ଉତ୍ପାଦନକାରୀ ଦେଶମାନଙ୍କ ସହ କଥା ହେଲେ ପେଟ୍ରୋଲିୟମ ମନ୍ତ୍ରୀ

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୦୭ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ ରହିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସ୍ତରକୁ ଯାଉଛି ଦେଶର ତେଲ ଦର । ତେବେ ବର୍ତ୍ତମାନ ଏହାକୁ ନେଇ ଆଶ୍ବସ୍ଥିକର ଖବର ଆସିଛି । ଦେଶର ନୂଆ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉପଭୋକ୍ତାଙ୍କ ପାଇଁ ତୈଳ ଦର ହ୍ରାସ ଉପରେ ଜୋର୍ ଦେଇଛନ୍ତି । ଏ ନେଇ ତେଲ ଉତ୍ପାଦକ ଦେଶମାନଙ୍କ ସହିତ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।

ଗତ ସପ୍ତାହରେ କାତାରର ଉର୍ଜା ମନ୍ତ୍ରୀଙ୍କ ଫୋନ ଯୋଗେ କଥା ହୋଇଥିଲେ ହରଦୀପ ସିଂହ ପୁରୀ । ଆଲୋଚନା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଟ୍ବିଟ୍‌ କରି କହିଥିଲେ ଯେ, ‘ଉପଭୋକ୍ତାଙ୍କ ପାଇଁ ତୈଳ ଦର ଶସ୍ତା କରିବା ପାଇଁ ବ୍ୟବସ୍ଥା ଜାରି ରହିଛି । ଉର୍ଜା କ୍ଷେତ୍ରରେ ସ୍ଥିରତା, ନିଶ୍ଚିତତା ଏବଂ ବ୍ୟବହାରିକତାକୁ ଗୁରୁତ୍ବ ଦେବା ପାଇଁ ୟୁଏଇ ତଥା ଅନ୍ୟ ମିତ୍ର ଦେଶମାନଙ୍କ ସହିତ ଆଲୋଚନା ଜାରି ରହିଛି । ସମସ୍ତେ ମିଳିମିଶି କାମ କରିବା ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି ।’

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିପାଇବା ଫଳରେ ଦେଶରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ସମେତ ରନ୍ଧନ ଗ୍ୟାନ ଦର ବୃଦ୍ଧି ପାଉଛି । ମେ ମାସରେ ଅନ୍ତରାଷ୍ଟ୍ରୀୟ ଅନ୍ତରାଷ୍ଟ୍ରୀୟ ଦର ହ୍ରାସ ପାଇଥିଲା ସେଥିପାଇଁ ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ୧୦୦ ଟଙ୍କା ପାର କରିଥିଲା । ଏବେ ମଧ୍ୟ ସମାନ ସ୍ଥିତି ଜାରି ରହିଛି । ଏହା ସହିତ ରାଜସ୍ଥାନ ଏବଂ ଓଡିଶାରେ ପ୍ରଥମ ଥର ପାଇଁ ଡିଜେଲ ଦର ୧୦୦ ଟଙ୍କା ପାର କରିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, ୟୁଏଇ ଉଦ୍ୟୋଗ ଏବଂ ଉନ୍ନତ ପ୍ରଦ୍ୟୋଗିକ ମନ୍ତ୍ରୀ ଡାକ୍ତର ସୁଲତାନ ଅହମ୍ମଦ ଅଲ ଜାବେରଙ୍କ ସହିତ ଫୋନ ଯୋଗେ ଆଲୋଚନା ହୋଇଥିଲା । ଭାରତ ଏବଂ ୟୁଏଇ ମଧ୍ୟରେ ଉର୍ଜା ଉତ୍ପାଦନ କ୍ଷେତ୍ରରେ ସହଯୋଗ କରିବା ପାଇଁ ଏବଂ ତୈଳ ଉତ୍ପାଦନ ପାଇଁ ଦ୍ବିପାକ୍ଷିକ ସହଯୋଗ କରିବା ନେଇ ଆଲୋଚନା ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.