ସୀମା ପାର୍‌ ହେଲେ ପେଟ୍ରୋଲ ୨୧ ଓ ଡିଜେଲ ୧୭ଟଙ୍କା କମ, ଟାଙ୍କି ଭରିବାକୁ ଲୋକଙ୍କ ଖଚାଖଚ୍‌ ଭିଡ

Published By : Prameya-News7 Bureau | November 08, 2021 IST

ଗଙ୍ଗାନଗର ୦୮/୧୧ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ କମାଇବା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଭ୍ୟାଟ୍‌ ହ୍ରାସ କରିଛନ୍ତି । ଯାହା ଫଲରେ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତୀ ମିଳିଛି । କିନ୍ତୁ ବଡ କଥା ହେଉଛି ସମସ୍ତ ବିଜେପି ଶାସିତ ରାଜ୍ୟ, ଓଡିଶା ଏବଂ କଂଗ୍ରେସ ଶାସିତ ରାଜ୍ୟ ଭାବେ ଏକା ପଞ୍ଜାବ ହିଁ ଭ୍ୟାଟ୍ ହ୍ରାସ କରିଛି । କଂଗ୍ରେସ ଏବଂ ଅନ୍ୟ ଦଳ ଶାସନ କରୁଥିବା ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇନାହିଁ ।

ପଞ୍ଜାବ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ କରିବା ପରେ ସେଠା​ରେ ଏବେ ପେଟ୍ରୋଲ ଲିଟର ପିଛା ୨୧ ଟଙ୍କା ଏବଂ ଡିଜେଲ ୧୭ ଟଙ୍କା ଶସ୍ତାରେ ମିଳୁଛି । ଏହି କ୍ରମରେ ପଞ୍ଜାବ ଏବଂ ରାଜସ୍ଥାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏବେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କାରଣ ରାଜସ୍ଥାନର ଜନସାଧାରଣ ସୀମା ପାର କରି ପେଟ୍ରୋଲ ଏବଂ ଡିଜେଲ ଭରିବା ପାଇଁ ପଞ୍ଜାବ ଚାଲିଯାଉଛନ୍ତି । ରାଜସ୍ଥାନ ସରକାର ତେଲ ଉପରୁ ଭ୍ୟାଟ୍‌ କମାଇନଥିବାରୁ ସେଠାରେ ତୈଳ ଦର ହ୍ରାସ ପାଇନାହିଁ । ଯାହା ଫଳରେ ଲୋକମାନେ ଶସ୍ତା ତେଲ ପାଇବା ପାଇଁ ପଞ୍ଜାବ ସୀମାରେ ପ୍ରବେଶ କରୁଛନ୍ତି ।

ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ତୁରନ୍ତ ଭ୍ୟାଟ୍‌ କମାଇବାକୁ ଜନସାଧାରଣ ଦାବି କରୁଛନ୍ତି । ୨ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ୍‌ କରି କେନ୍ଦ୍ର ସରକାର ଆହୁରି ଭ୍ୟାଟ୍‌ କମାନ୍ତୁ ବୋଲି ଦାବି କରିଥିଲେ । ତେବେ କଥା ହେଉଛି, ଶସ୍ତା ତେଲ ପାଇବା ପାଇଁ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରୁ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟକୁ ଯାଉଛନ୍ତି ଜନସାଧାରଣ । ଦେଶର ପ୍ରାୟ ସମସ୍ତ ବିଜେପି ଶାସିତ ରାଜ୍ୟମାନଙ୍କରେ ତୈଳ ଦର ହ୍ରାସ ପାଇଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ଭ୍ୟାଟ୍‌ କମାଇଛନ୍ତି । ଏହା ପଛର କାରଣ ଉପ ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ବୋଲି ବିରୋଧୀ  କହୁଥିବା ବେଳେ, କଂଗ୍ରେସ ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛି ବୋଲି ବିଜେପି କହିଛି ।

ମଧ୍ୟ ପ୍ରଦେଶ, ଗୁଜୁରାଟ, ଉତ୍ତର ପ୍ରଦେଶ, ଆସାମ, ବିହାର, ଗୋଆ ସହ ଅନ୍ୟ ବିଜେପି ଶାସିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ ପାଇବାରୁ ତେଲ ଦର କମିଥିଲା । ଏହା ବାଦ ଓଡିଶାରେ ମଧ୍ୟ ସରକାର ଭ୍ୟାଟ୍‌ କମାଇଥିଲେ । କଂଗ୍ରେସ ଶାସିତ ରାଜ୍ୟ ଭାବେ ଏକା ପଞ୍ଜାବ ହିଁ ତେଲ ଉପରୁ ଭ୍ୟାଟ୍‌ କମାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.