ଭୟଙ୍କର ବିସ୍ଫୋରଣ: ନିଖୋଜ ଭାଇକୁ ବିକଳ ହୋଇ ଖୋଜୁଛନ୍ତି ସାନ ଭାଇ ଓ ବଡ ଭଉଣୀ, ଖଣ୍ଡବିଖଣ୍ଡିତ ହୋଇ ପଡିଥିବା ମାଂସ ଟୁକୁଡାର ହେବ ଡିଏନ୍‌ଏ ଟେଷ୍ଟ

Published By : Prameya-News7 Bureau | October 08, 2020 IST

କଟକ୮/୧୦: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆହତ ସତ୍ୟ ନାୟକଙ୍କ ମୃତ୍ୟୁ ହୋଇଛି। ସେପଟେ ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁନାହିଁ । ଉଭୟ ଗଞ୍ଜାମ ଜିଲ୍ଲାର। ଏମାନେ ସେହି ପେଟ୍ରୋଲ ପମ୍ପର କର୍ମଚାରୀ ଥିଲେ । ସେପଟେ ପୋଲିସ କହିଛି ଘଟଣାସ୍ଥଳରୁ ମିଳିଥିବା ମାଂସ ଟୁକୁଡା ଓ ଦେହର ଖଣ୍ଡବିଖଣ୍ଡିତ ଅଂଶବିଶେଷର ଡିଏନ୍‌ଏ ଟେଷ୍ଟ ହେବ। ତାପରେ ଯାଇ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିବ। ସେପଟେ ସଂପର୍କୀୟଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।

ଭାଇ ସୀମାଞ୍ଚଳ ପରିଡାକୁ ବିକଳ ହୋଇ ଖୋଜୁଛନ୍ତି ସାନ ଭାଇ ଓ ବଡ ଭଉଣୀ। ମେଡିକାଲରୁ ପେଟ୍ରୋଲ ପମ୍ପ ଦୌଡୁଛନ୍ତି । ଦୁଇଜଣଙ୍କ ଆଖିରେ ଲୁହ ବୋଲ ମାନୁନି । ହେଲେ ଭାଇର କୌଣସି ପତ୍ତା ମିଳୁନି । ରାଜଭବନ ପେଟ୍ରୋଲ ପମ୍ପରେ କାମ କରୁଥିଲେ ସୀମାଞ୍ଚଳ । କାଲି ଘଟଣା ପରଠାରୁ ନିଖୋଜ ଅଛନ୍ତି । ନା ତାଙ୍କ  ଫୋନ ଲାଗୁଛି ନା ତାଙ୍କ ବିଷୟରେ ଖବର ମିଳୁଛି।  ଭାଇ ସୀମାଞ୍ଚଳ କଥା ପଚାରି ବୁଝୁଛନ୍ତି ଗଞ୍ଜାମ ଗହଙ୍ଗୁ ଗାଁର ମଙ୍ଗଳୁ ପରିଡା ଓ ବଡ ଭଉଣୀ ମଞ୍ଜୁଲତା ପରିଡା ।​‌ 

ଉଭୟଙ୍କ କହିବା ଅନୁସାରେ ସୀମାଞ୍ଚଳ ଗ୍ୟାସ ଟାଙ୍କି ମରାମତି ଠିକା ନେଇଥିବା କୋଲକତାର ଏକ ସଂସ୍ଥାରେ କାମ କରନ୍ତି । ସେ ଡିପ୍ଲୋମା ଇଂଜିନିୟର ଓ ଏଲପିଜି କାମରେ ନିୟୋଜିତ ଥିଲେ । ସେହି ସଂସ୍ଥା ରାଜଭବନ ପେଟ୍ରୋଲ ପମ୍ପ ଗ୍ୟାସ ଟ୍ୟାଙ୍କି ମରାମତି ପାଇଁ  ସୀମାଞ୍ଚଳକୁ ନିୟୋଜିତ କରିଥିଲା ।  ସୀମାଞ୍ଚଳ ଏବେ କେଉଁଠି ସେ ଖବର କାହା ପାଖରେ ନାହିଁ।  ଘଟଣା ସ୍ଥଳରୁ ଯେଉଁ ଚୁଟି, ମାଂସ ଟୁକୁଡା ଓ ଦେହର ଖଣ୍ଡବିଖଣ୍ଡିତ ଅଂଶବିଶେଷ ମିଳିଛି ତାହା କାହାର ତାର ଡିଏନ୍‌ଏ ଟେଷ୍ଟ କରାଯିବ । ତା ପରେ ସ୍ପଷ୍ଟ ହେବ ବିସ୍ପୋରଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ସେଠାରେ ସୁପରଭାଇଜର ଭାବେ କାମ କରୁଥିଲେ ସତ୍ୟବ୍ରତ ନାୟକ।  ଗଞ୍ଜାମ ଆସିକା ରଘୁନାଥ ନଗରର ୩୭ ବର୍ଷୀୟ ସତ୍ୟବ୍ରତ ନାଏକଙ୍କ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ୧୦ ଦିନ ତଳେ ସୁପରଭାଇଜର ଭାବେ କାମ ମିଳିଥିବାରୁ ଘରେ ସ୍ତ୍ରୀ , ଛୋଟ ପୁଅ ଓ ବୃଦ୍ଧା ମାକୁ ଛାଡି ଭୁବନେଶ୍ବର ଆସିଥିଲେ । ବିସ୍ପୋରଣ ଘଟିଥିବା ସ୍ଥାନରେ ଗ୍ୟାସ ଫିଲିଂ କାମରେ ଉପସ୍ଥିତ ଥିଲେ ସତ୍ୟବ୍ରତ ।

ହେଲେ  କିଏ ଜାଣିଥିଲା ଏ ଭଳି ବଡ ବିପଦ ଠିଆ ହୋଇଛି ସାମ୍ନାରେ । ଆଜି ଘରକୁ ଫେରିବେ ବୋଲି ପରିବାର ଲୋକଙ୍କୁ କଥା ଦେଇଥିଲେ ସତ୍ୟ । ହେଲେ ଆସିଛି ତାଙ୍କ ମୃତଦେହ । ଅନ୍ୟ ଜଣେ ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଗତକାଲି ଭୟଙ୍କର ବିସ୍ପୋରଣରେ ୧୦ ଜଣ ଆହତ ହୋଇଥିଲେ । ଏଥିମଧ୍ୟରୁ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ଏସ ସି ବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଅନ୍ୟମାନଙ୍କ ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.