ଅଦାଲତରେ ରଥଯାତ୍ରା ମାମଲା, ଗୁରୁବାର ରାୟ ପରେ ସୁପ୍ରିମକୋର୍ଟରେ ପୁଣି ୫ ପିଟିସନ୍: ସୋମବାର ହୋଇପାରେ ଶୁଣାଣି, ଏପଟେ ଅଟକିନି ରଥକାମ

Published By : Prameya-News7 Bureau | June 20, 2020 IST

ପୁରୀ, ୨୦|୦୬ :  ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ପରେ ପିଟିସନ ଦାଖଲ ହେଉଛି । ବର୍ତ୍ତମାନ ସୁଦ୍ଧା ତିନୋଟି ପିଟିସନ ଓ ଦୁଇଟି ମୋଡିଫିକେସନ ପିଟିସନ ଦାୟର ହୋଇଛି । ହେଲେ ଶନିବାରଠୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ସୋମବାର କିଭଳି ଶୁଣାଣି ହେବ ତାକୁ ନେଇ ସୃଷ୍ଟି ହୋଇଛି ସସ୍‌ପେନ୍‌ସ୍‌ । ସେପଟେ ପୁରୀରେ ରଥନିର୍ମାଣ କାମ ଜାରି ରହିଥିବା ବେଳେ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଏବଂ  ନବଯୌବନ ଦର୍ଶନ ନୀତି କରାଯାଉଛି ।

ଏ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ ।ମହାମାରୀ କରୋନା ଯୋଗୁଁ ଲୋକଙ୍କ ସୁରକ୍ଷା ଏବଂ ସାଧାରଣ ସ୍ବାର୍ଥକୁ ନଜରରେ ରଖି ମହାପ୍ରଭୁଙ୍କ ରଥଯାତ୍ରା ଉପରେ ଏଭଳି କଟକଣା ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ । ହେଲେ ସେପଟେ ଶ୍ରଦ୍ଧାଳୁଙ୍କ ମନ କିନ୍ତୁ ମାନୁନି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ପରେ ପିଟିସନ ଦାଖଲ ହେଉଛି । ଗତକାଲି ୩ଟି ପିଟିସନ ଦାଖଲ ହୋଇଥିବା ବେଳେ ଆଜି ଆଉ ୨ଟି ମୋଡିଫିକେସନ ପିଟିସନ ଦାଖଲ ହୋଇଛି । ଅନ୍ୟ ସବୁଯାଗାରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ କୁହାଯାଇଛି । ତେବେ ଏସବୁ ଭିତରେ ଆଜି ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ବା ସମର ଭ୍ୟାକେସନ୍‌ ଆରମ୍ଭ ହେଉଥିବାରୁ ସୋମବାର ଶୁଣାଣି ନେଇ ସୃଷ୍ଟି ହୋଇଛି ସସ୍‌ପେନ୍‌ସ୍‌ ।

ସେପଟେ ଚଳିତ ବର୍ଷ ରଥଯାତ୍ରା ହେବକି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏପଟେ ବନ୍ଦ ହୋଇନି ରଥ କାମ । ତିନି ରଥରେ କନା ପଡ଼ିବା ଆରମ୍ଭ ହୋଇଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ କନା ଆବରଣ କରିଛନ୍ତି କୋଠସୁଆଁସିଆ ସେବକମାନେ ।ସେହିଭଳି ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଲାଗି ଖଡ଼ି ପ୍ରସାଦ ଶ୍ରୀନଅରକୁ ବିଜେ କରିଛି । ପଟୁଆରରେ ଦଇତାପତି ସେବାୟତ ଓ ପତି ମହାପାତ୍ର ରୂପା ଥାଳିରେ ଖସି ପ୍ରସାଦ ଧରି ଶ୍ରୀନଅରକୁ ଯାଇ ଗଜପତିଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତାକାଲି ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ବିଶେଷ ରିତିନୀତି ଥିବାରୁ ଆଜି ନବଯୌବନ ଦର୍ଶନ ନୀତି କରାଯାଇଛି ।ଦଇତାପତି ସେବାୟତଙ୍କ ଦ୍ବାରା ଗୁପ୍ତ ସେବା ପରେ ଦତ୍ତମହାପାତ୍ର ସେବକଙ୍କ ଦ୍ବାରା ୪ଘଣ୍ଟା ଧରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା । ଏହାପରେ ଦଶାବତାର ଠାକୁର ବାଡ଼ାବିଜେ କରିବା ପରେ ତାଟି ଖୋଲି ମହାପ୍ରଭୁଙ୍କ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ।

କୋଭିଡ୍‌ କଟକଣା ଭିତରେ ଏଥର ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆଜି ଜଗତଠାକୁରଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଯେଉଁଠି ଏତେବେଳକୁ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଉଛୁଳୁଥାନ୍ତା ସେଠି ଆଜି ଖାଁ ଖାଁ ପଡ଼ିଛି ଶ୍ରୀକ୍ଷେତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.