Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଲାଗି ଚୀନ ବିରୋଧରେ ପିଟିସନ ଦାଖଲ, ୬୦୦ ବିଲିୟନ ଡଲାରର କ୍ଷତିପୂରଣ ଦାବି

9/05/2020 at 5:34 PM

ନୂଆଦିଲ୍ଲୀ ୯।୫:  କରୋନା ମହାମାରୀ ସଂକ୍ରମଣ ଲାଗି ଚୀନଠାରୁ ୬୦୦ ବିଲିୟନ ଡଲାର କ୍ଷତିପୂରଣ ଆଦାୟ ନିମନ୍ତେ ଭାରତ ସରକାରଙ୍କୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଶନିବାର ସୁପ୍ରିମକୋର୍ଟରେ ପିଟିସନ ଫାଇଲ ହୋଇଛି।  ତାମିଲନାଡୁର କେ.କେ. ରମେସ ନାମକ ଜନୈକ ବ୍ୟକ୍ତି ଏହି ପିଟିସନ ଫାଇଲ କରିଥିବା ବେଳେ କ୍ଷତିପୂରଣ ଆଦାୟ ଲାଗି ସରକାରଙ୍କୁ ଚୀନ ବିରୋଧରେ ହେଗ୍ ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି।

ମଦୁରାଇ ନିବାସୀ ରମେଶ ତାଙ୍କ ମାମଲାରେ କେନ୍ଦ୍ର ଆଇନ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରାଳୟଙ୍କୁ ପକ୍ଷ କରିଥିବା ବେଳେ ଚୀନ ଉହାନର ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜିରୁ ଭୂତାଣୁ ଉତ୍ପତିର ସ୍ପଷ୍ଟ ପ୍ରମାଣ ମିଳୁଥିବା ତର୍କ କରିଛନ୍ତି। ତେବେ ସେ ଜଣେ ସାଧାରଣ ନାଗରିକ ହୋଇଥିବାରୁ ସିଧାଶଳଖ ଆଇସିଜେଙ୍କ ଦୁଆର ବାଡେଇ ପାରିବେନି। ଏଣୁ ଚୀନ ଯୋଗୁ ଦେଶରେ କରୋନା ସଂକ୍ରମଣ କାରଣରୁ ହେଉଥିବା କ୍ଷତିର ଭରଣା ଲାଗି ସରକାର ଆଇସିଜେଙ୍କୁ ନିବେଦନ କରିପାରିବେ। ଏଣୁ ଏଥିପାଇଁ କୋର୍ଟ ସରକାରଙ୍କୁ  ନିର୍ଦ୍ଦେଶ ଦିଅନ୍ତୁ ବୋଲି ରମେଶ ତାଙ୍କ ପିଟିସନରେ ନିବେଦନ କରିଛନ୍ତି।

ନିବେଦନକାରୀଙ୍କ ଅନୁସାରେ ଚୀନ ଜାଣିଶୁଣି ଭାରତ ଓ ପୁରା ବିଶ୍ୱକୁ ଭ୍ରମିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ବାସ୍ତବରେ ଏହା ଭୂତାଣୁ ସଂକ୍ରମଣ ନୁହେଁ ବରଂ ବିଶ୍ୱର ଶକ୍ତିଶାଳୀ ଅର୍ଥବ୍ୟବସ୍ଥାମାନଙ୍କୁ ଦୁର୍ବଳ କରିବା ଲାଗି ଚୀନର ଜୈବିକ ଅଥବା ରାସାୟନିକ ଆକ୍ରମଣ ବୋଲି ରମେଶ ଅଭିଯୋଗ କରିଛନ୍ତି। ଏଣୁ ଏଥିଯୋଗୁ ଦେଶର ହେଉଥିବା କ୍ଷୟକ୍ଷତିର ଭରଣା ଲାଗି ଭାରତ ସରକାର ଚୀନ ବିରୋଧରେ ଆଇସିଜେଙ୍କୁ ଯିବା ନିହାତି ଆବଶ୍ୟକ ବୋଲି ଯୁକ୍ତି କରିଛନ୍ତି ରମେଶ।  

   Related Posts