ଲକଡାଉନରେ ଅସାଧୁ ବ୍ୟବସାୟୀଙ୍କ କଳା ବେପାର, ୟୁରିଆ କରୁଛନ୍ତି ବ୍ଲାକ୍, ଜବତ ହେଲା ୨୬୦ ବସ୍ତା

Published By : Prameya-News7 Bureau | August 08, 2020 IST

ବରଗଡ, ୦୮|୦୮:  ବର୍ତ୍ତମାନ ଚାଷର ସମୟ । ଏହି ସମୟରେ ରାଜ୍ୟର ଅଧିକାଂଶ ଚାଷୀ ଚାଷ କରିବା ପାଇଁ ବିଭିନ୍ନ ବ୍ୟାଙ୍କ, ସମବାୟ ସଂସ୍ଥା , ମହାଜନ ମାନଙ୍କ ପାଖରୁ ଋଣ ନେଇ ନିଜର ଚାଷ କାମ କରିଥାନ୍ତି । ଅନେକ ପରିଶ୍ରମ ସହିତ ଅନେକ ବାଧାବିଘ୍ନ ସହି ଚାଷୀ କୁଳ କୃଷିକାର୍ଯ୍ୟ ସମ୍ପାଦନ କରିଥାନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ଯେ କିଛି ଖଳ ପ୍ରକୃତିର ବ୍ୟବସାୟୀ ସମୟ ଓ ସୁଯୋଗ ଦେଖି ଚାଷୀ ମାନଙ୍କର ରକ୍ତ ଶୋଷଣ କରିବାରେ ଲାଗିଛନ୍ତି । ଏମିତି ଏକ ଘଟଣା ଶନିବାର ବରଗଡ ଜିଲ୍ଲା ପାଇକମାଲରୁ ସାମନାକୁ ଆସିଛି ।

ବର୍ତ୍ତମାନ ଖୋଲା ବଜାରରେ ୟୁରିଆ ସାରର ଅଭାବର ସୁଯୋଗ ନେଇ ପାଇକମାଲର ତାୟଲ ସାର ଦୋକାନର ମାଲିକ ୟୁରିଆ ବସ୍ତା ପିଛା ୪୬୦ ଟଙ୍କାରେ ବିକ୍ରି କରୁଥିବା ଜଣେ ଚାଷୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ  ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ  ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଅଭିଯୋଗ ପାଇବା ପରେ ବରଗଡ଼ ଜିଲ୍ଲା କୃଷି ଅଧିକାରୀ ଦିନବନ୍ଧୁ ଗାନ୍ଧୀଙ୍କର ନେତୃତ୍ୱରେ ଏକ ଟିମ୍  ଦ୍ୱିପ୍ରହରରେ ଦୁଇ ଗୋଟି ସାର ଗୋଦାମ ଉପରେ ଚଢ଼ାଉ କରିଥିଲା । ଅଭିଯୋଗର ସତ୍ୟତା ଜଣାପଡିବା ପରେ ଦୁଇ ଶହ ଷାଠିଏ ବସ୍ତା ୟୁରିଆ ସାର ଜବତ କରାଯାଇଛି ।

 ଏହି ଚଢଉ ଓ ଜବତ ବିଷୟରେ ଜିଲ୍ଲାପାଳଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ । ଜିଲ୍ଲାପାଳଙ୍କର ନିର୍ଦେଶ ପରେ କିଶୋର ଅଗ୍ରୱାଲଙ୍କର ଉପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.