ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପେରୁ କୋକା ଅଞ୍ଚଳରେ ଆକ୍ରମଣ, ୧୬ ମୃତ

Published By : Prameya-News7 Bureau | May 26, 2021 IST

ପେରୁ, ୨୬|୧୧  : ପେରୁର ଏକ  ଉପାନ୍ତ ପାର୍ବତ୍ୟାଞ୍ଚଳରେ ହୋଇଥିବା ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଏହି ଆକ୍ରମଣରେ ଯେଉଁମାନଙ୍କର ହାତ ଅଛି ସେମାନଙ୍କୁ କ୍ଷମା ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହି ଘଟଣା ପାଇଁ ପେରୁ ସରକାର ସାଇନିଂ ପାଥକୁ ଦାୟୀ କରିଛନ୍ତି । ଯାହା ୧୯୮୦ ରୁ ୧୯୯୦ ମଧ୍ୟରେ ମୁଣ୍ଡ ଟେକିଥିବା ଏକ ମାଓବାଦ ଆନ୍ଦୋଳନ ଅଟେ ।

ପେରୁ ରାଷ୍ଟ୍ରପତି ଫ୍ରାନସିସ୍କୋ ସୋଗାଟି କହିଛନ୍ତି ଯେ, ଭିଆରଇଏଏମ ବା ଭାଲେ ଡି ଲୋସ୍ ରିଓସ୍ ଆପୁରିମାକ୍ ପାର୍ବ୍ୟତାଞ୍ଚଳରେ ସେନା ଓ ପୋଲିସଙ୍କୁ ମୁତୟନ କରାଯାଇଥିଲା । ଫଳରେ ଆକ୍ରମଣକୁ କିଛି ମାତ୍ରାରେ ପ୍ରତିହତ କରାଯାଇ ପାରିଥିଲା । ଏହାପଛରେ ନାର୍କୋ ଆତଙ୍କବାଦୀଙ୍କ ହାତ ରହିଛି । ଆକ୍ରମଣରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । ଘଟଣା ପଛରେ ସାଇନିଂ ପାଥର ହାତ ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏଙାସହ ସେ ପୋଲିସ ଓ ସେନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଅନ୍ୟ ପ୍ରାନ୍ତରେ ଏହି ସଙ୍ଗଠନକୁ ନିପାତ କରାଯାଇଛି । କିନ୍ତୁ କିଛି ସ୍ଥାନରେ ସାଇନିଂ ପାଥର ସଦସ୍ୟମାନେ ଏବେବି ସକ୍ରିୟ ଅଛନ୍ତି । ଅତିଶୀଘ୍ର ଏହି ସବୁ ସ୍ଥାନରୁ ମଧ୍ୟ ସେମାନଙ୍କୁ ନିପାତ କରାଯିବ ।

ଯେଉଁ ସ୍ଥାନରେ ଆକ୍ରମଣ ହୋଇଛି, ସେଠାରେ ଆମେରିକାର ପ୍ରାୟ ୭୫ ପ୍ରତିଶତ ନିଶାଦ୍ରବ୍ୟ କୋକେନ୍ ଚାଳଣ ହୁଏ । ସାଇନିଂ ପାଥର ସଦସ୍ୟମାନେ ଚୋରାଚାଲାଣ ବେଳେ ଏସକର୍ଟ ଯୋଗାଇଥାନ୍ତି ।  ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପେରୁରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏହି ନିର୍ବାଚନରେ ବାମ ବିଚାରଧାରାର ନେତା ପେଡ୍ରୋ କାଷ୍ଟିଲୋ ଓ ଦକ୍ଷିଣ ବିଚାରଧାରର ନେତ୍ରୀ କେଇକୋ ଫୁଜିମୁରି ମୁହାଁମୁହିଁ ହେବେ । ଉଭୟ ଫୁଜିମୁରି ଓ କାଷ୍ଟିଲୋ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

ତେବେ ଏହି ଆକ୍ରମଣ ନୂଆଁ ନୁହେଁ । ପୂର୍ବରୁ ମଧ୍ୟ ଅନେକ ସମୟରେ ଏଠାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆକ୍ରମଣ ଓ ହିଂସାକାଣ୍ଡ ଘଟିଥାଏ । ତେଣୁ ଅନେକଙ୍କୁ ଏହି ଆକ୍ରମଣ ଚକିତ କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.