ମୁସଲମାନଙ୍କୁ ପର୍ଶନାଲ ଲ ବୋର୍ଡର ଅପିଲ: ବାହାଘରରେ ଯୌତୁକ ନୁହେଁ ଝିଅମାନଙ୍କୁ ସମ୍ପତ୍ତିରେ ଦିଅନ୍ତୁ ଭାଗ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮/୦୯ : ଅଲ ଇଣ୍ଡିଆ ମୁସଲିମ ପର୍ଶନାଲ ଲ ବୋର୍ଡର ସମାଜ ସୁଧାର କମିଟି ମଙ୍ଗଳବାର ଦିନ ହୋଇଥିବା ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିଚାର ହୋଇଛି। ବୈଠକ ବେଳେ ଅଧ୍ୟକ୍ଷ ମୌଲାନା ରାବେ ହସନି ନଦବି କହିଛନ୍ତି ଯେ, ମୁସଲମାନ ଇସ୍ଲାମ ଧର୍ମକୁ କେବଳ ନମାଜରେ ସୀମିତ କରିଦେଇଛନ୍ତି। ଏଥିପାଇଁ ସେ ବହିଟି ଦୁଃଖିତ। ଗତ ଅନେକ ବର୍ଷ ହେଲା ସାମାଜିକ ମାମଲାଗୁଡିକୁ ଅଣଦେଖା କରାଯାଉଛି ଏବଂ ଏଥିପ୍ରତି କାହାର ଦୃଷ୍ଟି ମଧ୍ୟ ନାହିଁ। ସେ କହିଛନ୍ତି ଯେ ବାହାଘରରେ ଯୌତୁକ ଦେବା ବଦଳରେ ଝିଅମାନଙ୍କୁ ସମ୍ପତ୍ତିରେ ତାଙ୍କ ଭାଗ ଦେବା ଉଚିତ।  

ଭାରତରେ ବାହାଘରରେ ଯୌତୁକ ନେବା ଏବଂ ଦେବା ଉପରେ ସର୍ବଦା ନିଷେଧାଦେଶ ରହିଆସିଛି। ତଥାପି ବାହାଘରରେ ଅନେକ ଲୋକ ଯୌତୁକ ନିଅନ୍ତି ଓ ଦିଅନ୍ତି। ଇସ୍ଲାମ ଧର୍ମରେ ଯୌତୁକ ଦେବା ଓ ନେବା ଉପରେ ନିଷେଧାଦେଶ ରହିଛି। ଏପରିକି ମୁସଲିମ ପର୍ଶନାଲ ଲ ବୋର୍ଡ ମଧ୍ୟ ଯୌତୁକକୁ ଅଣ ଇସଲାମ ବୋଲି ଘୋଷଣା କରିଦେଇଛି। ତଥାପି ଏବେ ମଧ୍ୟ ବାହାଘରରେ ଯୌତୁକ ଦିଆଯାଉଛି ଓ ନିଆଯାଉଛି। ରାବେ ହସନି ନଦବି କହିଛନ୍ତି ଯେ ଇସ୍ଲାମ ଧର୍ମ ଜୀବନର ସବୁ କ୍ଷେତ୍ରରେ ଆମର ମାର୍ଗ ଦର୍ଶନ କରିଥାଏ। ସେଥିପାଇଁ ମୁସଲମାନଙ୍କ ସବୁ କ୍ଷେତ୍ରରେ ହଲାଲ ଓ ହରାମ ପ୍ରତି ଦୃଷ୍ଟି ରଖିବା ଉଚିତ। ଇସ୍ଲାମକୁ କେବଳ ନମାଜ ଯାଏଁ ହିଁ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବାହାଘର ସମୟରେ ଇସଲାମ ଗାଇଡଲାଇନ ପାଳନ କରାଯିବା ଉଚିତ ଯେପରି କୌଣସି ମୁସଲିମ ଝିଅ ନିଜ ଘରେ ଅବିବାହିତ ନ ରହୁ। ଏଥିପାଇଁ ସବୁଠାରୁ ଜରୁରୀ ହେଲା ବିନା ଯୌତୁକରେ ବାହାଘର ହେବା। ମୌଲାନା ଖାଲିଦ ରହମାନି କହିଛନ୍ତି ଯେ ମୌଲାନା ବଲି ରହମାନିଙ୍କ ଦେଖରେଖରେ ସାରା ଦେଶରେ ସହଜ ବିବାହ ଅଭିଯାନ ଆରମ୍ଭ କରାଯାଇଥିଲା। ତାଙ୍କ ଦେଖରେଖରେ ଅନେକ ବିବାହ ହୋଇଥିଲା।

ଜମାତ-ଏ-ଇସ୍ଲାମୀର ପ୍ରମୁଖ ସେୟଦ ସଆଦତୁଲ୍ଲାହ ହୁସେନ କହିଛନ୍ତି ଯେ ସମାଜରୁ ଯୌତୁକ ପ୍ରଥା ସମ୍ପୂର୍ଣ୍ଣ ଶେଷ କରିବାକୁ ହେଲେ ମହିଳାଙ୍କୁ ମଧ୍ୟ ଶିକ୍ଷିତ ହେବା ଆବଶ୍ୟକ। ମହିଳାଙ୍କୁ ଶିକ୍ଷିତ କରିବା ବିନା ସମାଜରେ ଏତେ ବଡ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ। ମହିଳାଙ୍କୁ ଶିକ୍ଷିତ କରିବାକୁ ଏକ ମହିଳା ସମିତି ଗଠନ କରିବା ଉଚିତ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.