ଓ୍ଵାଶିଂଟନ ୦୮।୦୩- ସମଗ୍ର ବିଶ୍ଵରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଆମେରିକାର ଶୀର୍ଷ ରାଜନୈତିକ କଞ୍ଜରଭେଟିଭସର ସମ୍ମିଳନୀରେ ଯୋଗ ଦେଇଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି। ଗଣମାଧ୍ୟମ ସୂଚନା ଅନୁଯାୟୀ କରୋନା ଭୂତାଣୁରେ ସଂକ୍ରମିତ ରୋଗୀ ଜଣକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହାତ ମିଳାଇଥିଲେ।
ଅଧିକାରୀ କହିଛନ୍ତି କଞ୍ଜରଭେଟିଭ ପଲିଟିକାଲ ଆକ୍ସନ କନଫରେନ୍ସ(ସିପିଏସି) ରାଜନୈତିକ କଞ୍ଜରଭେଟିଭର ସବୁଠୁ ବଡ ବାର୍ଷିକ ଜନସଭା। ଏଥିରେ ହଜାର ସଂଖ୍ୟକ ଲୋକ ଯୋଗ ଦେଇଥାନ୍ତି। ଓ୍ଵାଶିଂଟନ ଉପକଣ୍ଠରେ ଫେବୃଆରୀ ୨୬ ରୁ ୨୯ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପେନ୍ସଙ୍କ ବ୍ୟତୀତ ଅନେକ କ୍ୟାବିନେଟ ସଦସ୍ୟ ଓ ହ୍ଵାଇଟ୍ ହାଉସର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ।
{"id":234939,"width":747,"height":497,"sizeSlug":"large"}ଆମେରିକନ କଞ୍ଜରଭେଟିଭ ୟୁନିୟନ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରରୁ ମିଳିଥିବା ସୂଚନା ଆଧାରରେ ଟୁଇଟ୍ କରି କହିଛି ଏହି ଭୂତାଣୁ ସମ୍ମିଳନୀ ପୂର୍ବରୁ ବ୍ୟାପି ସାରିଥିଲା। ନ୍ୟୁ ଜର୍ସିର ଏକ ହସ୍ପିଟାଲ ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୂନା ଯାଞ୍ଚ କରାଯାଇଛି ଏବଂ ନମୂନା ପୋଜିଟିଭ ମିଳିଥିବା ଘୋଷଣା କରାଯାଇଛି। ଏହି ବ୍ୟକ୍ତିଙ୍କୁ ନ୍ୟୁଜର୍ସିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକାରୀ କହିଛନ୍ତି ଯେ, ଏହି ବ୍ୟକ୍ତି ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଙ୍କ ସଂସ୍ପର୍ଶରେ ଆସିନଥିଲା। ଏପରିକି ସେ ମୁଖ୍ୟ ସଭାଗାରର କାର୍ଯ୍ୟକ୍ରମରେ ସାମିଲ ନଥିଲା। କିନ୍ତୁ ୟୁନିୟନର ଚେୟାରମ୍ୟାନ ମ୍ୟାଟ୍ ସ୍କେଲ୍ପ କହିଛନ୍ତି ଯେ, ସେ କାର୍ଯ୍ୟକ୍ରମରେ ସଂକ୍ରମିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସମ୍ମିଳନୀର ଶେଷ ଦିନରେ ମଞ୍ଚରେ ଉକ୍ତ ବ୍ୟକ୍ତି ଟ୍ରମ୍ପଙ୍କ ସହିତ ହାତ ମିଳାଇଥିଲେ। କରୋନା ଭୂତାଣୁ ହ୍ଵାଇଟ୍ ହାଉସ୍ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଟ୍ରମ୍ପ କହିଛନ୍ତି ଯେ, ମୁଁ ଚିନ୍ତିତ ନୁହଁ। କରୋନା ଭୂତାଣୁ ବ୍ୟାପିବା ପରେ ମଧ୍ୟ ସେ ପୁନର୍ବାର ନିର୍ବାଚନ ରାଲି ଜାରି ରଖିବେ ବୋଲି ଟ୍ରମ୍ପ କହିଛନ୍ତି।