ବିନା ମାସ୍କରେ ଘରୁ ବାହାରକୁ ଯାଇଥିଲେ, ପୋଲିସ ଲଗାଇଲା ୫୦୦୦ ଟଙ୍କାର ଜରିମନା

Published By : Prameya-News7 Bureau | April 30, 2020 IST

ଥିରୁବନ୍ତପୁରମ୍ ୩୦।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଅନେକ ରାଜ୍ୟରେ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କେରଳ ୱାୟାନାଡରେ ଜଣେ ବ୍ୟକ୍ତି ଏହି ସରକାରୀ ଆଦେଶ ଗ୍ରହଣ ନକରିବାରୁ ପୋଲିସ ତାଙ୍କ ଉପରେ ୫୦୦୦ ଟଙ୍କାର ଜରିମନା ଲଗାଇଛି ।

ସୂଚନାଯୋଗ୍ୟ ଯେ, କେରଳ କରୋନା ଭାଇରସ୍ ଦ୍ବାରା ବେଶୀ ପ୍ରଭାବିତ ହୋଇଛି । ଦେଶରେ ଏହି  ଭାଇରସ୍ ର ପ୍ରଥମ ରୋଗୀ ଏହି ରାଜ୍ୟରେ ହିଁ ଚିହ୍ନଟ ହୋଇଥିଲେ । ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ଏତେ ଟଙ୍କା ଜରିମନା ଲଗାଯିବାକୁ ଏସପି ଇଲାଙ୍ଗୋ କହିଛନ୍ତି ଯେ, କେରଳ ପୋଲିସ ଅଧିନିୟମ (କେପିଏ) ୧୧୮ଇ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ ଏବଂ ଜରିମନା ଆଦାୟ କରାଯିବ। ବ୍ୟକ୍ତି ଜଣଙ୍କ ମାସ୍କ ନ ପିନ୍ଧି ବାହାରକୁ ଆସିଥିଲେ । ତେଣୁ ତାଙ୍କୁ ୫୦୦୦ ଟଙ୍କା ଜରିମନା କରାଯାଇଛି ।

ସେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧନ୍ତି ନାହିଁ ତେବେ ଆଇନ ଅନୁଯାୟୀ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ତିନି ବର୍ଷ ଜେଲ୍ କିମ୍ବା ୧୦,୦୦୦ ଟଙ୍କା ଜୋରିମନା କିମ୍ବା ଉଭୟ ହୋଇପାରେ ।

କେବଳ ଏତିକି ନୁହେଁ କେରଳରେ ଲକ୍ ଡାଉନ୍ ନିୟମକୁ କଡାକଡି କରାଯାଇଛି ଏବଂ ଜଣେ ଦୋକାନୀଙ୍କୁ ମଧ୍ୟ ଏକ ହଜାର ଟଙ୍କା ଜରିମନା କରାଯାଇଛି । ଦୋକାନରେ ଗ୍ରାହକଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ନ ରଖିଥିବାରୁ ଦୋକାନୀଙ୍କ ଉପରେ ଏହି ଜରିମନା ଲାଗୁ କରାଯାଇଥିଲା ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ କେରଳରେ ୪୮୫ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୫୯ ଜଣ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.